ମୁମ୍ବାଇ: ମହାରାଷ୍ଟ୍ରରେ ଜାରୀ ରହିଛି ରାଜନୀତିକ ସଙ୍କଟ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରଙ୍କ ଆସନ ଟଳମଳ ହୋଇପଡିଛି । ତାଙ୍କ ଦଳ ଶିବସେନାର ୩୦ରୁ ଅଧିକ ବିଧାୟକ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିବାରୁ ଉଦ୍ଧବ ଠାକରେଙ୍କ ଆସନ ଟଳମଳ ହୋଇଛି। ଏସବୁ ଭିତରେ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଇମୋସନାଲ କାର୍ଡ ଖେଳିଛନ୍ତି। ବିଦ୍ରୋହକୁ ଦୃଷ୍ଟିରେ ରଖି ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ଥିବା ମଧ୍ୟ ଘୋଷଣା କରିଛନ୍ତି।

ସେ କହିଛନ୍ତି, “ଯଦି ଜଣେ ବି ଅସନ୍ତୁଷ୍ଟ ବିଧାୟକ ମୋତେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ କହିବେ, ତା’ହେଲେ ମୁଁ ପଦ ସହ ବାସଭବନ ଛାଡ଼ି ଦେବି। ମୁଁ ମୋର ଇସ୍ତଫାପତ୍ର ପ୍ରସ୍ତୁତ କରି ରଖିଛି। ଯେକୌଣସି ଶିବ ସୈନିକ ମୁଖ୍ୟମନ୍ତ୍ରୀ ହୋଇପାରିବେ। ଯଦି ବିଧାୟକମାନେ ଚାହୁଁଛନ୍ତି, ତା’ହେଲେ ମୁଁ ପଦ ଛାଡ଼ିବାକୁ ରାଜି। ବିଗତ ୨.୫ ବର୍ଷ ହେଲା ଆପଣମାନେ ଦେଇଥିବା ସମର୍ଥନ ପାଇଁ ବହୁତ ବହୁତ ଧନ୍ୟବାଦ।

ଅନେକ ଲୋକ ମୋତେ କୁହନ୍ତି, ଉଦ୍ଧବଜୀ ଆପଣ ଯେତେବେଳେ କଥା ହୁଅନ୍ତି ଆମକୁ ପରିବାର ଲୋକଙ୍କ କଥା ଶୁଣିବା ଭଳି ଲାଗେ। ଏହା ହିଁ ମୁଁ ସବୁ ବେଳେ ଚାହିଁ ଆସିଛି। ମୁଁ ସମସ୍ତଙ୍କୁ ମୋ ପରିବାରର ସଦସ୍ୟ ରୂପେ ଦେଖିଛି। ମୁଖ୍ୟମନ୍ତ୍ରୀ ପଦ ମୋ ପାଖରୁ ହଠାତ୍ ଆସିଥିଲା। ଏଥିପାଇଁ ମୁଁ କେବେ ହେଲେ ଆଶା ରଖି ନଥିଲି।

ଯଦି ଆପଣମାନେ(ବିଧାୟକ) କହିବେ, ତା’ହେଲେ ମୁଁ ମୁଖ୍ୟମନ୍ତ୍ରୀ ଏବେ ଛାଡ଼ି ଦେବି। ଏହା ଆଦୌ ସଂଖ୍ୟାର ଖେଳ ନୁହେଁ। କିନ୍ତୁ କେତେ ଜଣ ମୋ ବିରୋଧରେ ଅଛନ୍ତି, ତାହା ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ବି ମୋତେ ବିରୋଧ କରୁଛନ୍ତି, ତା’ହେଲେ ବି ମୁଁ ପଦ ଛାଡ଼ିବାକୁ ରାଜି ଅଛି।