ଜୁନ ୧୯ ଓ ୨୬ରେ ସମବାୟ ସମିତି ନିର୍ବାଚନ; ରହିବ ନାହିଁ ଦଳୀୟ ଚିହ୍ନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତା ଜୁନ ୧୯ ଓ ୨୬ରେ ସମବାୟ ସମିତି ନିର୍ବାଚନ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସମବାୟ ନିର୍ବାଚନ କମିସନର ସୁନ୍ଦରଲାଲ ସିଲ । ତେବେ ଥିରୁ ୧୫ଜଣ ନିର୍ଦେଶକ ନିର୍ବାଚିତ ହୋଇ ୧୩୨ଟି ସେଣ୍ଟ୍ରାଲ ସମବାୟ ସମିତିକୁ ଯିବେ। ସେଥିରୁ ୧୫ଜଣ ନିର୍ଦେଶକ ଆପେକ୍ସ ବଡିକୁ ଯାଇ ୨୧ ଜଣ ନିର୍ଦେଶକ ନିର୍ବାଚିତ କରିବେ। ପ୍ରାଥମିକ ସମବାୟ ସମିତି ନିର୍ବାଚନର ତିନି ମାସ ପରେ ସେଣ୍ଟ୍ରାଲ ସମବାୟ ସମିତି ନିର୍ବାଚନ ଓ ତା ୩ ମାସ ପରେ ଆପେକ୍ସ ବଡି ନିର୍ବାଚନ ହେବ। ପ୍ରାଥମିକ, ସେଣ୍ଟ୍ରାଲ ଓ ଆପେକ୍ସକୁ ମିଶାଇ ରାଜ୍ୟରେ ସମୁଦାୟ ୭୨୨୯ ସମବାୟ ସମିତି ଅଛି। ଯେଉଁଥିରେ ରାଜ୍ୟ ସରକାରଙ୍କ ୫ଟି ବିଭାଗ ରହିଛି। ଏଥିରେ ସମବାୟର ୪୧୫୨, ହସ୍ତତନ୍ତ ଓ ବୟନଶିଳ୍ପର ୮୦୩, ମତ୍ସ୍ୟ ସମ୍ପଦର ୧୯୧୨, ଏମଏସଏମଇର ୨୦୮ ଓ ଆୟୁଷର ଗୋଟିଏ ସମବାୟ ସମିତି ଅଛି। ଏ ଯାଏ ୩୦,୦୯,୧୦୫ ଚାଷୀ ଭୋଟର ଅଛନ୍ତି। କେତେକଙ୍କ ଭୋଟର ଲିଷ୍ଟ ଅପଡେଟ ନ ଥିବାରୁ କଟିବ।

ଆସନ୍ତା ଦୁଇ ମାସ ଭିତରେ ୩୮୯୨ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ଦେଇ ଟ୍ରେନିଂ ଦେବେ ଜିଲ୍ଲା ସମବାୟ ନିର୍ବାଚନ ଅଧିକାରୀ। ଏହି ନିର୍ବାଚନ ଅଧିକାରୀମାନେ ସମବାୟ ସମିତିସ୍ତରରେ ବିଜ୍ଞପ୍ତି ପ୍ରକାଶ କରିବେ। ନୋଟିସକୁ ପ୍ରଚାର ପ୍ରସାର ପାଇଁ ବ୍ଲକ ଓ ତହସିଲ କାର୍ଯାଳୟରେ ଲଗାଯିବ। ସେମାନେ ନୂଆ ଭୋଟରଙ୍କଠାରୁ ତଥ୍ୟ ମାଗିବାଠାରୁ ଆରମ୍ଭ କରି ନିର୍ବାଚନର ସମସ୍ତ କାର୍ଯ୍ୟ ସମ୍ପାଦନ କରିବେ। ନିର୍ବାଚନରେ ଦଳୀୟ ଚିହ୍ନ ରହିବ ନାହିଁ। ଶେଷରେ ୧୫ଦିନ ପରେ ସମବାୟ ସମିତିର ସଭାପତି ଓ ଉପସଭାପତି ପାଇଁ ନିର୍ବାଚନ ହେବ ବୋଲି ରାଜ୍ୟ ସମବାୟ ନିର୍ବାଚନ କମିସନର ସୁନ୍ଦରଲାଲ ସିଲ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Related Posts