ୟୁଟ୍ୟୁବ୍‌ ପାଠପଢ଼ାରେ କପିରାଇଟ୍‌ ନିୟମ ଉଲ୍ଲଂଘନ: ନୋଟିସ୍‌ ପଠାଇଲା ୟୁଟ୍ୟୁବ୍‌, ଅନେକ ବିଷୟବସ୍ତୁ ଡିଲିଟ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ଯୋଗୁଁ ସ୍କୁଲ୍ ବନ୍ଦ ରହିଛି। ତେବେ ପିଲା ମାନଙ୍କ ପାଠପଢାରେ ବାଧା ନ ଉପୁଜିବା ପାଇଁ ସେମାନଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ୟୁଟ୍ୟୁବ୍‌ ପାଠପଢ଼ା। ପ୍ରଥମରୁ ଦଶମ ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବ୍‌ରେ ପାଠ ପଢାଯାଉଛି ।

ଗତ ଅଢ଼େଇ ମାସ ହେବ ଦୈନିକ ପ୍ରାୟ ୪ ଘଣ୍ଟା ୟୁଟ୍ୟୁବ୍ କ୍ଲାସ୍ କରାଯାଉଛି। ତେବେ ଯେଉଁମାନଙ୍କ ପାଖରେ ୟୁଟ୍ୟୁବ୍ ଜରିଆରେ ପାଠ ପଢିବାର ସସାଂଧାନ ରହିଛି ସେମାନେ ଏହାର ଫାଇଦା ଉଠାଇ ପାରୁଥିବା ବେଳେ ଅଧିକାଂଶ ପିଲା ବିଶେଷ କରି ଗ୍ରାମାଞ୍ଚଳ ପିଲା ମାନେ ୟୁଟ୍ୟୁବ୍ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୭୦% ଛାତ୍ରଛାତ୍ରୀ ୟୁଟ୍ୟୁବ୍‌ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ତେବେ ଏହା ମଧ୍ୟରେ ୟୁଟ୍ୟୁବ୍‌ରେ ପଢ଼ାଉଥିବା ଶିକ୍ଷକମାନଙ୍କ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ। ଯେଉଁ ଶିକ୍ଷକମାନେ ପିଲାଙ୍କୁ ୟୁଟ୍ୟୁବ୍‌ ମାଧ୍ୟମରେ ପାଠ ପଢାଉଛନ୍ତି ସେମାନେ ଅନ୍ୟମାନଙ୍କ ତଥ୍ୟ ଚୋରାଉଥିବାର ସାଙ୍ଘାତିକ ଘଟଣା ଏବେ ସାମ୍ନାକୁ ଆସିଛି। ଏହାର ଅର୍ଥ ହେଉଛି ଅନ୍ୟ କୌଣସି ଶିକ୍ଷକ କିମ୍ବା ଶିକ୍ଷାବିତ୍‌ଙ୍କ ଦ୍ବାରା ପୂର୍ବରୁ ଅପ୍‌ଲୋଡ୍‌ କରାଯାଇଥିବା ବିଷୟବସ୍ତୁକୁ କପି କରି ପିଲାଙ୍କୁ ୟୁଟ୍ୟୁବ୍ ଜରିଆରେ ପାଠ ପଢ଼ା ଯାଉଛି। ତେବେ ୟୁଟ୍ଯୁବ୍ ରେ ପାଠ ପଢାଇବା ସମୟରେ ଅଡିଓ ଭିଜୁଆଲ୍‌ କ୍ଲିପ୍‌, ଭିଡିଓ, ଆନିମେସନ୍‌, ଫଟୋ ଆଦି ରହିଥାଏ। ତେବେ ଏଗୁଡ଼ିକ କପିରାଇଟ ନିୟମର ଉଲ୍ଲଘଂନ ହେଉଥିବା କାରଣରୁ ୟୁଟ୍ୟୁବ୍‌ ନୋଟିସ୍ ପଠାଇବା ସଙ୍ଗେ ସଙ୍ଗେ କିଛି ବିଷୟବସ୍ତୁକୁ ଡିଲିଟ୍‌ କରିଦେଇଥିବା ଜଣାପଡ଼ିଛି।

ୟୁଟ୍ୟୁବ୍‌ ପକ୍ଷରୁ କୁହାଯାଇଛି ଯେ ଲାଇଭ୍‌ ଷ୍ଟ୍ରିମିଂ କ୍ଲାସ୍‌ଗୁଡ଼ିକ ୟୁଟ୍ୟୁବ୍‌ ନିୟମ ବିରୁଦ୍ଧରେ ଯାଉଛି। ଏବଂ କିଛି କିଛି କ୍ଷେତ୍ରରେ କପି ରାଇଟ୍‌ ଆଇନକୁ ବି ଉଲଂଘନ କରୁଥିବା ନଜରକୁ ଆସିଛି। ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଅଧିକ ପରିମାଣରେ କପିରାଇଟ୍‌ ନିୟମ ଉଲ୍ଲଂଘନ ହେଉଥିବା ୟୁଟ୍ୟୁବ୍‌ କହିଛି। ଏପଟେ ୟୁଟ୍ୟୁବ୍ ଠାରୁ ନୋଟିସ୍‌ ପାଇବା ପରେ ଓସେପା ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ହସ୍ତକ୍ଷେପ ଲୋଡ଼ା ଯାଇଥିଲା। ଆଗକୁ ଏଭଳି ତ୍ରୁଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ମୁତାବକ ରାଜ୍ୟରେ ନବମ ଓ ଦଶମ ଶ୍ରେଣୀର ପ୍ରାୟ ୫ ଲକ୍ଷ ଛାତ୍ରଛାତ୍ରୀ ୟୁଟ୍ୟୁବ୍‌ରେ ପାଠ ପଢୁଥିବା ବେଳେ ବାକି ୮ଟି ଶ୍ରେଣୀରେ ୧୦ ଲକ୍ଷ ପିଲା ସାମିଲ ହୋଇ ଶିକ୍ଷା ଗ୍ରହଣ କରୁଛନ୍ତି। ପ୍ରାଥମିକ ଶ୍ରେଣୀର ଅନେକ ପିଲା ୟୁଟ୍ୟୁବ୍‌ ଶିକ୍ଷାରୁ ଏବେ ବି ବଞ୍ଚିତ ହେଉଛନ୍ତି। କ୍ଲାସ୍‌ ସମୟରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର ହାରାହାରି ୬୫ ହଜାର ପିଲା ୟୁଟ୍ୟୁବ୍‌ ରେ ଅନ୍ୟ ବିଷୟ ଦେଖୁଛନ୍ତି। ସେହିପରି ‌ଭାବେ ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଶ୍ରେଣୀର ବହୁ କମ୍‌ ସଂଖ୍ୟକ ପିଲା ୟୁଟ୍ୟୁବ୍‌ରେ ପଢ଼ୁଛନ୍ତି।

Related Posts