ଦେଶରେ ଏବେ ତଳମୁହାଁ ରହିଛି କରୋନାର ଦୈନିକ ସଂକ୍ରମିତ ଙ୍କ ସଂଖ୍ୟା | ହୁ ହୁ ହୋଇ ବଢୁଥିବା ସଂକ୍ରମଣ ରେ ଏବେ ବ୍ରେକ ଲାଗିଛି | ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବି କମିବାରେ ଲାଗିଛି | ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ଏବେ ୫ ହଜାର ତଳକୁ ଖସିଛି ।

ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦୪ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୪୧୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୧୦୪ ଛୁଇଁଛି ।

ଏବେ ସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୨୯ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୪୪୪୮୮ ସକ୍ରିୟ ମାମଲା ରହିଛି ଏବଂ ୪ କୋଟି ୨୪ ଲକ୍ଷ ୨୦ ହଜାର ୧୨୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୫୧୫୪୫୯ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ଅନ୍ୟପଟେ ରାଜ୍ୟରେ ବି ସଂକ୍ରମଣ ହାର କମିବାରେ ଲାଗିଛି | ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୬୩୫୩ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୪ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୩୦ ଜଣ ରହିଛନ୍ତି ।