ରାଜଧାନୀରେ ପୁଣି କାୟା ବିସ୍ତାର କଲା କରୋନା: ୨୪ ଘଣ୍ଟାରେ ୧୦୦୯ ଜଣ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣିଥରେ କାୟା ବିସ୍ତାର କରିଛି ମହାମାରୀ କରୋନା | ବିଶେଷ କରି ଦୈନିକ ସଂକ୍ରମଣ ଏବେ ରେକର୍ଡ ସ୍ତରରେ ପହଁଚିଛି | ଦିନକରେ ଦିଲ୍ଲୀର ଦୈନିକ ସଂକ୍ରମଣ ୬୦% ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ୧୦୦୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି।

ଫେବୃଆରୀ ୧୦ରେ ଶେଷଥର ପାଇଁ ଦିଲ୍ଲୀରେ ୧ ହଜାରରୁ ଅଧିକ ଦୈନିକ ସଂକ୍ରମଣ ରେକର୍ଡ କରାଯାଇଥିଲା। ଏହାପରେ ସଂକ୍ରମଣ ହ୍ରାସ ପାଇଥିଲା। ତେବେ ଆଜି ପୁଣି ଦୈନିକ ସଂକ୍ରମଣ ୧ ହଜାର ପାର କରିଛି। କେବଳ ସଂକ୍ରମଣ ବଢ଼ିନି , ବରଂ ପଜିଟିଭିଟି ରେଟ୍ ମଧ୍ୟ ୫.୭%ରେ ପହଞ୍ଚି ଯାଇଛି।

ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ରାଜଧାନୀରେ କରୋନା ସଂକ୍ରମଣ ସଂପୂର୍ଣ୍ଣ ହ୍ରାସ ପାଇଥିଲା। ହେଲେ ଏପ୍ରିଲ ୧୧ରୁ ୧୮ ମଧ୍ୟରେ ସଂକ୍ରମଣ ୩ ଗୁଣା ବଢ଼ିଛି। ସଂକ୍ରମଣ ବଢ଼ୁଥିଲେ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହେବା ଲୋକଙ୍କ ସଂଖ୍ୟା ବହୁତ କମ। ମୋଟ ସକ୍ରିୟ ମାମଲାର ୩%ରୁ କମ ଆକ୍ରାନ୍ତ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତଥାପି ସଂକ୍ରମଣ ବଢ଼ୁଥିବାରୁ ସରକାର ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି। ଦିଲ୍ଲୀରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଆଜି ୨୬୪୧ ରହିଛି। ଏହା ଫେବୃଆରୀ ୧୮ ପରେ ସର୍ବାଧିକ। ଫେବୃଆରୀ ୧୮ରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୭୭୫ ଥିଲା। ସେହିପରି ୨୪ ଘଣ୍ଟାରେ ୩୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସଂକ୍ରମଣ ସ୍ଥିତିକୁ ଦେଖି ଦିଲ୍ଲୀ ସରକାର ପୁଣିଥରେ ସର୍ବସାଧାରଣ ସ୍ଥାନରେ ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି। ମାସ୍କ ପନ୍ଧିଲେ ୫୦୦ ଟଙ୍କା ଲେଖାଏ ଜୋରିମାନା ଦେବାକୁ ପଡ଼ିବ।

ଅନ୍ୟପକ୍ଷରେ ଗତ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୨୩୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ୪୯ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ୧୩୪୩୩ ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୪ କୋଟି ୨୫ ଲକ୍ଷ ୧୪ ହଜାର ୪୭୯ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୫୨୨୦୬୨ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

Related Posts