ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ପ୍ରଣୟନରେ ଦୁର୍ନୀତି ମାମଲାରେ ଆକ୍ସନମୁଡ୍ ରେ ସିବିଆଇ । ଏନେଇ ଏହି ଘଟଣାର ତଦନ୍ତ କରିବା ପରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଆଉ୧୩ଜଣଙ୍କ ନାମରେ ‘ସିବିଆଇ’ ‘ଲୁକ୍‌ ଆଉଟ୍‌ ସର୍କ୍ୟୁଲାର୍‌’ ଜାରି କରିଛି।

ଏହି ମାମଲାରେ ‘ସିବିଆଇ’ ଫାଇଲ୍‌ କରିଥିବା ‘ଏଫ୍‌ଆଇଆର୍‌’ରେ ମନୀଷ ସିସୋଦିଆଙ୍କ ସମେତ ୧୪ଜଣ ବ୍ୟକ୍ତିଙ୍କ ନାମ ରହିଛି।

‘ଲୁକ୍ଆଉଟ୍‌ ସର୍କ୍ୟୁଲାର୍‌’ ଜାରି ହେଲେ ସମ୍ପୃକ୍ତ ବ୍ୟକ୍ତି ଦେଶ ଛାଡ଼ି ଯାଇପାରନ୍ତି ନାହିଁ। ଯଦି ସେ ଉକ୍ତ ସର୍କ୍ୟୁଲାର୍‌ରେ ଥିବା ସର୍ତ୍ତାବଳୀ ଉଲ୍ଲଂଘନ କରନ୍ତି, ତାଙ୍କୁ ଅଟକ ରଖାଯାଏ।

ଏହି ମାମଲାରେ ‘ସିବିଆଇ’ ଫାଇଲ୍‌ ‘ଏଫ୍‌ଆଇଆର୍‌’ରେ ଉଲ୍ଲେଖ ଅଛି ଯେ, ଟେଣ୍ଡର୍‌ ପରେ ଅଧିକୃତ ବିକ୍ରେତାମାନଙ୍କ ସୁବିଧା ଦେବା ଉଦ୍ଦେଶ୍ୟରେ କର୍ତ୍ତୃପକ୍ଷଙ୍କ ବିନା ଅନୁମୋଦନରେ ‘୨୦୨୧-୨୨ ଅବକାରୀ ନୀତି’ ଉପରେ ମନୀଷ ସିସୋଦିଆ ଏବଂ ସରକାରୀ ଅଧିକାରୀମାନେ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଏହାଛଡ଼ା, ‘ଇଣ୍ଡୋସ୍ପିରିଟ୍‌’ର ମାଲିକ ସମୀର ‌ମହେନ୍ଦ୍ରୁ ସିସୋଦିଆଙ୍କ ଘନିଷ୍ଠ ସହଯୋଗୀଙ୍କୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଦୁଇଟି ‘ପେମେଣ୍ଟ୍‌’ କରିଛନ୍ତି ବୋଲି ଅଭିଯୋଗ ହୋଇଥିବା କଥା ମଧ୍ୟ ଉକ୍ତ ‘ଏଫ୍‌ଆଇଆର୍‌’ରେ ଉଲ୍ଲେଖ ଅଛି।

ପୁଙ୍ଖାନୁପୁଙ୍ଖ ଭାବେ ଜେରା କରିବା ଲାଗି ଶନିବାର ଦିନ ‘ସିବିଆଇ’ ଏହି ମାମଲାର କେତେକ ଅଭିଯୁକ୍ତଙ୍କୁ ଡକାଇଥିଲା। ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣ ଥିଲେ ମନୀଷ ସିସୋଦିଆଙ୍କ ଘନିଷ୍ଠ।