କୃଷି ମନ୍ତ୍ରଣାଳୟର ଆକଳନ; ଚଳିତବର୍ଷ ରେକର୍ଡ ପରିମାଣରେ ବୃଦ୍ଧି ପାଇବ ଦେଶର ଖାଦ୍ୟଶସ୍ୟ ଉତ୍ପାଦନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚଳିତବର୍ଷ ପୂର୍ବ ବର୍ଷ ତୁଳନାରେ ଦେଶର ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ପରିମାଣରେ ବୃଦ୍ଧି ପାଇବ । ଏନେଇ ଆକଳନ କରିଛି କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ । ମନ୍ତ୍ରଣାଳୟର ସୂଚନା ଅନୁସାରେ ୨୦୨୨-୨୩ ରେ ଦେଶର ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ସାଙ୍ଗକୁ ଘରୋଇ ବଜାରରେ ମଧ୍ୟ ଏହାର ଚାହିଦା ବଢ଼ିିବ।ଫଳରେ ଦେଶର ମୁଦ୍ରାସ୍ଫୀତି କିଛି ପରିମାଣରେ ସୁଧାର ସାଙ୍ଗକୁ ଅର୍ଥନୈତିକ କାରବାରରେ ମଧ୍ୟ ଭଲ ଫଳାଫଳ ପ୍ରଦାନ କରିବ। ସରକାରୀ ରିପୋର୍ଟ ଅନୁସାରେ ୨୦୨୧-୨୨ ରେ ଚାଉଳ, ଗହମ ଏବଂ ଡାଲି ସମେତ ଅନ୍ୟାନ୍ୟ ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ୩୧୫.୭ ନିୟୁତ ଟନ୍‌ ଛୁଇଁବ। ସେହିପରି ୨୦୨୦-୨୧ ତୁଳନାରେ ଏହା ୪.୯୮ ନିୟୁତ ଟନ୍‌ ଅଧିକ ବୋଲି ଜଣାପଡ଼ିଛି। ଅପରପକ୍ଷରେ ଖାଦ୍ୟ ଏବଂ କୃଷି ସଂସ୍ଥାନ (ଏଫ୍‌ଏଓ)ର ଖାଦ୍ୟ ଦର ସୂଚକାଙ୍କ ୨୦୨୨ରେ ୧୩.୮%କୁ ବୃଦ୍ଧି ପାଇଛି।

କିଛି ଦିନ ପୂର୍ବରୁ ଘରୋଇ ବଜାରରେ ଯୋଗାଣ ଅଭାବ ସ୍ଥିତି ଉପୁଜିଥିଲା। ଫଳରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ରପ୍ତାନି ଉପରେ ମଧ୍ୟ କଟକଣା ଲାଗୁ କରିଥିଲେ। ତେବେ ରପ୍ତାନି କଟକଣା ପୂର୍ବରୁ ଅର୍ଥାତ୍‌ ଜାନୁୟାରୀ-ଏପ୍ରିଲରେ ଦେଶର ହାରାହାରି ଗହମ ରପ୍ତାନି ପରିମାଣ ୯୦୩,୬୯୦ ଟନ୍‌ ଥିଲା, ଯାହାକି ୨୦୨୧ ତୁଳନାରେ ଅନେକ ମାତ୍ରାରେ ଅଧିକ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ୨୦୨୧ରେ ଦେଶରୁ ମୋଟ ୫୧୫,୨୬୭ ଟନ୍‌ ଗହମ ରପ୍ତାନି ହୋଇଥିଲା।

ଟଙ୍କାର ବିନିମୟ ମୂଲ୍ୟ ଖସିବା ସମୟରେ ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲର ବର୍ଦ୍ଧିତ ଦର ଆମଦାନୀ ବିଲ୍‌ ବଢ଼ାଇଥିଲା। ଖାଦ୍ୟ ମୁଦ୍ରାସ୍ଫୀତି ଉପରେ ଏହାର ପ୍ରଭାବ ପଡ଼ିଥିବା ରେଟିଂ ଏଜେନ୍ସି କ୍ରିସିଲ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ମଧ୍ୟ ଉଲ୍ଲେଖ କରାଯାଇଛି। ତେବେ ୨୦୨୧-୨୨ରେ ଉତ୍ପାଦନ ହେବାକୁ ଥିବା ୩୧୫.୭ ନିୟୁତ ଟନ୍‌ ଖାଦ୍ୟଶସ୍ୟ ୨୦୧୬-୧୭ରୁ ୨୦୨୦-୨୧ ପର୍ଯ୍ୟନ୍ତ ୫ ବର୍ଷରେ ଦେଶର ହାରାହାରି ଖାଦ୍ୟଶସ୍ୟ ଉତ୍ପାଦନ ତୁଳନାରେ ୨୫ ନିୟୁତ ଟନ୍‌ ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆଲୋଚ୍ୟ ଆର୍ଥିକ ବର୍ଷରେ ରେକର୍ଡ ୧୩୦.୨୯ ନିୟୁତ ଟନ୍‌ ଚାଉଳ ଏବଂ ୧୦୬.୮୪ ନିୟୁତ ଟନ୍‌ ଗହମ ଉତ୍ପାଦନ ହେବ ବୋଲି କୃଷି ମନ୍ତ୍ରଣାଳୟ ପକ୍ଷରୁ ଆକଳନ କରାଯାଇଛି।

ଗତ ୫ ବର୍ଷର ହାରାହାରି ବାର୍ଷିକ ଉତ୍ପାଦନ ତୁଳନାରେ ଏହା ୩.୮୭ ନିୟୁତ ଟନ୍‌ ଅଧିକ ରହିବ। ନରେନ୍ଦ୍ର ମୋଦି ସରକାରଙ୍କ ଚାଷୀ ଅନୁକୂଳ ନୀତି, କୃଷକମାନଙ୍କ କଠିନ ପରିଶ୍ରମ ଏବଂ ବୈଜ୍ଞାନିକମାନଙ୍କ ଉଦ୍ୟମ ଯୋଗୁ ରେକର୍ଡ ଖାଦ୍ୟଶସ୍ୟ ଉତ୍ପାଦନ ହେବ ବୋଲି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ତେଲଙ୍ଗାନା, ଓଡ଼ିଶା, ଛତିଶଗଡ଼, ଆସାମ, କର୍ନାଟକ, ଆନ୍ଧ୍ରପ୍ରଦେଶ ଏବଂ ହରିୟାଣା ଭଳି ଚାଉଳ ଉତ୍ପାଦନକାରୀ ରାଜ୍ୟରେ କମ୍‌ ବିହନ ବୁଣାଯାଇଛି। ଏଥିମଧ୍ୟରୁ ଅଧିକାଂଶ ରାଜ୍ୟରେ ଏ ବର୍ଷ ଅଭାବୀ ବର୍ଷା ଦେଖାଦେଇଛି।

Related Posts