ଚାକିରି ପାଇଁ ଜମି ଦୁର୍ନୀତି ମାମଲା; ସିବିଆଇରେ ଭାଇ ତେଜସ୍ଵୀ ଯାଦବ, ଇଡିରେ ଭଉଣୀ ମିଶା ଭାରତୀ ହାଜର

ଭୁବନେଶ୍ୱର,୨୫/୩ (ସତ୍ୟପାଠ ବ୍ୟୁରୋ): ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଆଜି ସିବିଆଇରେ ପୁଣି ହାଜର ହୋଇଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ଆଜି ତାଙ୍କୁ ହାଜର ପାଇଁ ସିବିଆଇ ପକ୍ଷରୁ ସମନ ଜାରି କରାଯାଇଥିଲା । ତୃତୀୟ ଥର ପାଇଁ ଆଜି ସେ ସିବିଆଇରେ ହାଜର ହୋଇଛନ୍ତି । ଅନ୍ୟପଟେ ଏହି ମାମଲାରେ ଆରଜେଡି ସାଂସଦ ତଥା ତେଜସ୍ଵୀଙ୍କ ଭଉଣୀ ମିଶା ଭାରତୀ ଇଡିରେ ହାଜର ହୋଇଛନ୍ତି ।

ତେବେ ସିବିଆଇ ଅଫିସରେ ହାଜର ହେବା ପୂର୍ବରୁ ତେଜସ୍ଵୀ କହିଛନ୍ତି, “ଆମେ ସର୍ବଦା ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରିଆସୁଛୁ । କିନ୍ତୁ ଦେଶର ପରିସ୍ଥିତି ଏମିତି ହୋଇଯାଇଛି ଯେ ମୁକାବିଲା କରିବା କଷ୍ଟକର ହୋଇପଡୁଛି । ହେଲେ ଆମେ ହାର ନମାନି ଲଢେଇ କରିବା ପାଇଁ ନିଷ୍ପତ୍ତି ନେଇଛୁ । ଆମେ ନିଶ୍ଚୟ ଜିତିବୁ ।”

ତେବେ ପୂର୍ବରୁ ମାର୍ଚ୍ଚ ୧୦ ତାରିଖରେ ତେଜସ୍ବୀ ଯାଦବଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତାଙ୍କୁ ଦୀର୍ଘ ୧୧ ଘଣ୍ଟା ଧରି ଜେରା କରାଯାଇଥିଲା । ଏହାର ଗୋଟିଏ ଦିନ ପରେ ଅର୍ଥାତ ୧୧ ତାରିଖରେ ଆଇଜେଡି ନେତାଙ୍କୁ ପୁଣି ଥରେ ସମନ ଜାରି କରିଥିଲା ସିବିଆଇ । କିଛିଦିନ ପୂର୍ବରୁ ସିବିଆଇ ତାଙ୍କର ବାପା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ମାଆ ରାବ୍ରୀ ଦେବୀଙ୍କୁ ମାରାଥନ ଜେରା କରିଥିଲା । ଇଡି ଗତ ୧୦ ତାରିଖରେ ଲାଲୁଙ୍କ ୩ ଝିଅଙ୍କ ସମେତ ସମ୍ପର୍କୀୟଙ୍କ ଦିଲ୍ଲୀ, ଏନସିଆର ଓ ବିହାରରେ ରହିଥିବା ୧୫ରୁ ଅଧିକ ସ୍ଥାନରେ ଛାନଭିନ କରିଥିଲା ।

ଉଲ୍ଲେଖଯୋଗ୍ୟ ଯେ, ଲାଲୁ ପ୍ରସାଦ ଯାଦବ ୨୦୦୪ରୁ ୨୦୦୯ ମସିହା ଯାଏଁ ମନମୋହନ ସିଂଙ୍କ ନେତୃତ୍ଵାଧୀନ ଉପା ସରକାରରେ ରେଳମନ୍ତ୍ରୀ ଦାୟିତ୍ବରେ ଥିଲେ । ସେହି ସମୟରେ ସେ ରେଳ ବିଭାଗରେ ଚାକିରି ଦେବା ପାଇଁ ଲାଞ୍ଚ ଭାବେ ଜମି ନେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଲାଲୁଙ୍କ ସମେତ ପତ୍ନୀ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବେଡି ଦେବୀ, ସାଂସଦ ଝିଅ ମିସା ଭାରତୀ, ରେଳବାଇର ତତ୍କାଳୀନ ଜେନେରାଲ ମ୍ୟାନେଜରଙ୍କ ସମେତ ୧୪ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା । ସିବିଆଇକୁ ଏହି ଘଟଣାର ତଦନ୍ତ ଭାର ଦିଆଯାଇଥିବା ବେଳେ ସମନ ବିରୋଧ କରି ଦିଲ୍ଲୀ ହାଇକୋର୍ଟ ମଧ୍ୟ ଯାଇଥିଲେ ତେଜସ୍ବୀ ।

Related Posts