ଆଜି ରାଜ୍ୟରେ ଓକିଲ ସଂଘ ନିର୍ବାଚନ; ୱାନ୍ ବାର ୱାନ ଭୋଟ ନିୟମ ଅନୁଯାୟୀ ୧୫୩ ବାର୍‌ ଆସୋସିଏସନରେ ଚାଲିଛି ଭୋଟ ଗ୍ରହଣ

ଭୁବନେଶ୍ୱର,୨୫/୩ (ସତ୍ୟପାଠ ବ୍ୟୁରୋ): ଆଜି ରାଜ୍ୟରେ ଓକିଲ ସଂଘର ନିର୍ବାଚନ। ୱାନ୍ ବାର ୱାନ ଭୋଟ ନିୟମ ଅନୁଯାୟୀ ରାଜ୍ୟର ମୋଟ ୧୫୩ଟି ବାର୍‌ ଆସୋସିଏସନରେ ଗୋଟିଏ ଦିନରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ରାଜ୍ୟରେ ସମସ୍ତ ଓକିଲ ସଂଘର କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ ଚାଲିଛି। ଏହି ନିର୍ବାଚନରେ ମୋଟ ୩୩, ୪୩୪ ଆଇନଜୀବୀ ଭୋଟ ଦେବାକୁ ଥିବା ବେଳେ ସକାଳ ୮ ଟା ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ। ଭୋଟ ଗ୍ରହଣ ଶେଷ ହେବାର ପ୍ରାୟ ଘଣ୍ଟାଏ ପରେ ଭୋଟ ଗଣତି ଆରମ୍ଭ ହେବ ବୋଲି ସୂଚନା ରହିଛି।

ତେବେ ମିଳିଥିବା ସୂଚନା ଅନୁସାରେ, ହାଇକୋର୍ଟ ବାର୍‌ ଆସୋସିଏସନର ସଭାପତି ସହ ସମ୍ପାଦକ ଏବଂ ୯ଟି ଏକଜିକ୍ୟୁଟିଭ କମିଟି ସଦସ୍ୟ ପଦ ପାଇଁ ନିର୍ବାଚନ ହେବ। ମୋଟ ୧୫ ଟି ପଦବୀ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ହାଇକୋର୍ଟ ବାର୍‌ ଆସୋସିଏସନର ୪, ୨୯୭ ଭୋଟ ଦେବେ। ଏଥିପାଇଁ ହାଇକୋର୍ଟ ବାର୍‌ ଆସୋସିଏସନ ହଲରେ ୩୭ ଟି ବୁଥର ବ୍ୟବସ୍ଥା ହୋଇଛି। ତେବେ ପ୍ରଥମ ଥର ବୟସାଧିକ ଆଇନଜୀବୀଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଭୋଟ ଦେବାକୁ ଆସିପାରୁନଥିବା ୯୦ ବର୍ଷରୁ ଅଧିକ ବୟସର ସଦସ୍ୟଙ୍କ ପାଇଁ ନିଜ ଘରେ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି।

Related Posts