ଚୀନକୁ ଟପିଲା ଭାରତ: ୮୫ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଯାହା ଆଶଙ୍କା ଥିଲା ସେଇଆ ହେଲା। ଏବେ ଚୀନଠୁ ଭାରତର ସ୍ଥିତି ସାଙ୍ଘାତିକ ହୋଇଛି। ଆଜି ଭାରତର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚୀନକୁ ପାର କରିଛି । ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨,୯୪୧ ରହିଥିବା ବେଳେ ଭାରତରେ ଏହା ୮୫ ହଜାର ଟପିଯାଇଛି। ୮୫ ହଜାର ୯୪୦ ଆକ୍ରାନ୍ତଙ୍କ ସହ ଭାରତ ଏବେ ବିଶ୍ୱର କୋରୋନା କ୍ଷତିଗ୍ରସ୍ତ ତାଲିକାର ଏକାଦଶ ସ୍ଥାନରେ ପହଞ୍ଚି ଯାଇଛି। ସେହିପରି ପେରୁ ୮୪, ୪୯୫ ଆକ୍ରାନ୍ତଙ୍କ ସହ ୧୨ ଓ ଚୀନ ୧୩ତମ ସ୍ଥାନରେ ରହିଛି। କ୍ଷତିଗ୍ରସ୍ତ ତାଲିକାର ୧ ନଂ ସ୍ଥାନରେ ଆମେରିକା, ଦ୍ୱିତୀୟରେ ସ୍ପେନ ଓ ତୃତୀୟରେ ରୁଷ ରହିଛି।

ଭାରତ ସରକାରଙ୍କ ଅନୁସାରେ ଗତ ୨୪ ଘଣ୍ଟାରେ ପୁଣି ଥରେ ପ୍ରାୟ ୪ ହଜାର ନୂଆ ମାମଲା ରେକର୍ଡ କରାଯାଇଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮୫, ୯୪୦ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ କରୋନା ୧୦୩ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୫୨ରେ ପହଞ୍ଚି ଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗତ ୨୪ ଘଣ୍ଟାରେ ପ୍ରାୟ ୩ ହଜାର ଲୋକ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ ୩୦,୧୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶର ବିଭିନ୍ନ ହସ୍ପିଟାଲରେ ୫୩,୦୩୫ ଜଣ ଚିକିତ୍ସିତ ହେଉଛନ୍ତି।

ସେପଟେ କୋରୋନା ଯୋଗୁଁ ମହାରାଷ୍ଟ୍ର ସ୍ଥିତି ସବୁଠାରୁ ଅଧିକ ଖରାପ ହୋଇଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି 29 ହଜାର ଟପିଛି। ଗତ ୨୪ ଘଣ୍ଟାରେ ପୁଣି ୧୫୭୬ ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ନୂଆ ରୋଗୀଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୦୦ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ କରୋନା ୪୯ ଜଣଙ୍କ ମୁଣ୍ଡ ନେଇଛି। ଏଯାଏ ମହାରାଷ୍ଟ୍ରରେ କରୋନା ଯୋଗୁଁ ୧୦୬୮ ଜଣଙ୍କ ଜୀବନ ଯାଇଥିବା ବେଳେ ୬୫୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତାମିଲନାଡୁରେ ବି ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାର କରିଛି। ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦, ୧୦୮ ଥିବା ବେଳେ ୨୫୯୯ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ୭୧ ଜଣଙ୍କ ଜୀବନ ଯାଇଛି। ତୃତୀୟ ସ୍ଥାନରେ ଥିବା ଗୁଜରାଟରେ ୯୯୩୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬୦୬ ଜଣ ପ୍ରାଣ ହରାଇଛନ୍ତି। ୪୦୩୫ ଜଣ ସୁସ୍ଥ ହୋଇଛନ୍ତି। ଦିଲ୍ଲୀରେ ୮୮୯୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୩ ଜଣଙ୍କ ମୃତ୍ୟୁ ଘଟିଛି ଓ ୩୫୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସେହିପରି ଆନ୍ଧ୍ର ପ୍ରଦେଶରେ ୪୮, ଓଡ଼ିଶା ୩, ଆସାମରେ ୨, ବିହାରରେ ୭, ଚଣ୍ଡିଗଡ଼ରେ ୩, ହରିଆଣାରେ ୧୧, ହିମାଚଳ ପ୍ରଦେଶରେ ୩, ଜମ୍ମୁ-କଶ୍ମୀରରେ ୧୧, ଝାରଖଣ୍ଡରେ ୩, କର୍ଣ୍ଣାଟକାରେ ୩୬, କେରଳରେ ୪, ମଧ୍ୟପ୍ରଦେଶରେ ୨୩୯, ମେଘାଳୟ ୧, ପୁଡୁଚେରୀରେ ୧, ପଞ୍ଜାବ ୩୨, ରାଜସ୍ଥାନରେ ୧୨୫, ତେଲେଙ୍ଗାନାରେ ୩୪, ଉତ୍ତରାଖଣ୍ଡରେ ୧, ଉତ୍ତର ପ୍ରଦେଶରେ ୯୫ ଓ ପଶ୍ଚିମବଙ୍ଗରେ ୨୨୫ ଜଣ ଲୋକ କୋରୋନାରେ ପ୍ରାଣ ହରାଇଛନ୍ତି।

Related Posts