ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରି ଉପରେ କଟକଣା: କେନ୍ଦ୍ରକୁ ନୋଟିସ୍‌ ଜାରି କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୩/୨(ସତ୍ୟପାଠ ବ୍ୟୁରୋ): ୨୦୦୨ ଗୁଜରାଟ ଦଙ୍ଗାକୁ ନେଇ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବିସି ଦ୍ଵାରା ନିର୍ମିତ ବିବାଦୀୟ ଡକ୍ୟୁମେଣ୍ଟାରିର ୟୁଟ୍ୟୁବରେ ପ୍ରସାରଣ ଉପରେ କେନ୍ଦ୍ର ସରକାର କଟକଣା ଲଗାଇଛନ୍ତି। ତେବେ ଏହି କଟକଣାର ପ୍ରତିବାଦ କରାଯିବା ସହ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଚାଲେଞ୍ଜ ମଧ୍ୟ କରାଯାଇଥିଲା । ତେବେ ବିବିସି ପକ୍ଷରୁ ପ୍ରସ୍ତୁତ ଏହି ଡକ୍ୟୁମେଣ୍ଟାରିକୁ ବାରଣ କରାଯିବା ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରକୁ ଏବେ ନୋଟିସ ଜାରି କରିଛନ୍ତି। ଆସନ୍ତା ୩ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତି।

ଟିଏମସି ସାଂସଦ ମହୁଆ ମୋଇତ୍ରା, ବରିଷ୍ଠ ସାମ୍ବାଦିକ ଏନ ରାମ, ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଏବଂ ଓକିଲ ଏମ.ଏଲ୍ ଶର୍ମାଙ୍କ ପକ୍ଷରୁ ଦାୟର ପିଟିସନ ପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ସେହିପରି କେନ୍ଦ୍ର ସରକାରଙ୍କ କଟକଣା ବିରୋଧରେ ଏକାଧିକ ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ରୁଜୁ ହୋଇଛି।

ଜନସ୍ୱାର୍ଥ ମାମଲାର ତ୍ୱରିତ ଶୁଣାଣି ପାଇଁ ବରିଷ୍ଠ ଆଇନଜୀବୀ ସିୟୁ ସିଂହ, ପ୍ରଶାନ୍ତ ଭୂଷଣ ଓ ଏମ୍‌ଏଲ୍‌ ଶର୍ମା ପ୍ରମୁଖ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ସମ୍ମୁଖରେ ନିବେଦନ କରିଥିଲେ। ଏହି ବୃତ୍ତଚିତ୍ର ପ୍ରଦର୍ଶନକୁ ନେଇ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ କେତେକ ଲୋକଙ୍କୁ ଅଯଥାରେ ଗିରଫ କରାଯାଉଥିବା ଆଇନଜୀବୀ ଏମ୍‌ଏଲ୍‌ ଶର୍ମା ଦର୍ଶାଇଥିଲେ। ସେହିପରି ବରିଷ୍ଠ ଆଇନଜୀବୀ ସିୟୁ ସିଂହ ପୀଠକୁ ଅବଗତ କରାଇଥିଲେ ଯେ ଏହି ବୃତ୍ତଚିତ୍ର ପ୍ରଦର୍ଶନ ଯୋଗୁଁ ଆଜମେର୍‌ର ଜଣେ ଛାତ୍ରଙ୍କୁ ମହାବିଦ୍ୟାଳୟରୁ ବହିଷ୍କୃତ କରାଯାଇଛି।

ଏହି ବୃତ୍ତଚିତ୍ରକୁ ବାସନ୍ଦ କରିବା ଅଣସାମ୍ବିଧାନିକ ବୋଲି ଆଇନଜୀବୀ ଦର୍ଶାଇଥିଲେ। ସରକାରଙ୍କ ତରଫରୁ ଲାଗୁ ହୋଇଥିବା କଟକଣା ଉଠାଇବା ସହ ଗୁଜରାଟ ଦଙ୍ଗାରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ସାମିଲ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜନସ୍ୱାର୍ଥ ମାମଲାରେ ନିବେଦନ କରାଯାଇଛି।

ସୂଚନାଯୋଗ୍ୟ ଯେ, ବିସିସି ଦ୍ୱାରା ପ୍ରସ୍ତୁତ ଏହି ଡକ୍ୟୁମେଣ୍ଟାରିର ପ୍ରସାରଣକୁ ବାସନ୍ଦ କରିଥିଲେ କେନ୍ଦ୍ର ସରକାର। ଅନ୍ୟପଟେ ଏପରି ଜନସ୍ୱାର୍ଥ୍ୟ ମାମଲା ରୁଜୁ କରାଯିବା ଫଳରେ ସୁପ୍ରିମକୋର୍ଟଙ୍କ ବହୁମୂଲ୍ୟ ସମୟ ନଷ୍ଟ ହେବ ବୋଲି କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ କହିଥିଲେ।

Related Posts