ନବ ଦାସଙ୍କୁ ଗୁଳିମାଡ ପରେ ପିଏସଓ ଫେରାଇଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

ଭୁବନେଶ୍ୱର,୩/୨(ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି। ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ପୁଲିସ ଗୁଳିରେ ମୃତ୍ୟୁ ବରଣ କରିଥିବାରୁ ପୁଲିସ ବିଭାଗକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସବୁ ମଧ୍ୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ତାଙ୍କର ବ୍ୟକ୍ତିଗତ ସୁରକ୍ଷାକର୍ମୀ (ପିଏସଓ) ଫେରାଇଦେଇଥିବା ଜଣା ପଡିଛି। ପୂର୍ବରୁ ନବ ଦାସଙ୍କ ପିଏସ୍ଓ ମିତ୍ରଭାନୁ ଦେଓ ସସ୍‌ପେଣ୍ଡ ହୋଇଥିବା ଖବରରୁ ଜଣା ପଡିଥିଲା।

ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପୁଲିସ ମାରିବା ପରେ ଆଉ ଓଡ଼ିଶା ପୋଲିସ ଉପରେ ବିଶ୍ୱାସ ନଥିବା କହିଛନ୍ତି ଜୟନାରାୟଣ ମିଶ୍ର। ଓଡ଼ିଶା ପୁଲିସରେ କାର୍ଯ୍ୟରତ ପୋଲିସ ଅଧିକାରୀ ଅପରାଧରେ ଲିପ୍ତ ଏବଂ ନବ ଦାସଙ୍କ ହତ୍ୟା ପରେ ଏଭଳି ନିଷ୍ପତ୍ତି ନେଇଥିବା କହିଲେ ଜୟନାରାୟଣ ମିଶ୍ର। ସେ ଆହୁରି କହିଛନ୍ତି ଯେ, ଓଡିଶା ପୁଲିସ ରାଜନୈତିକ ଦଳ ଭାବେ କାର୍ଯ୍ୟକରୁଥିବାରୁ ମୋର ବିଶ୍ୱାସ ନାହିଁ। ସେଥିପାଇଁ ସେ ନିଜର ସୁରକ୍ଷା କର୍ମୀଙ୍କୁ ଫେରାଇ ଦେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି କରିଛନ୍ତି ଏବଂ ତଦନ୍ତ ପରେ କାରଣ ବାହାରିବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।

Related Posts