କଟକରେ ନକଲି ଔଷଧ କାରବାରର ତନାଘନା; ପୁଣି ଜବତ ହେଲା ୨୦ ଲକ୍ଷ ଟଙ୍କାର ନକଲି ଔଷଧ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଟକରେ ନକଲି ଔଷଧ କାରବାରର ତନାଘନା ଜାରି ରହିଛି। ଗତକାଲି ପୁଣିଥରେ କଟକରୁ ନକଲି ଔଷଧ ଜବତ ହୋଇଛି। କଟକର ୩ଟି ଔଷଧ ବିତରକଙ୍କ ନିକଟରରୁ ନକଲି ଔଷଧ ଜବତ ହୋଇଛି। ନିମଚୌଡିସ୍ଥିତ କ୍ୟାଲ ଏଜେନ୍ସି, ନୟାସଡ଼କସ୍ଥିତ ମହାବୀର ପ୍ରସାଦ ରାଧେଶ୍ୟାମ ଓ ଏମଏଚ ଫର୍ମାସିରୁ ୨୦ଲକ୍ଷ ଟଙ୍କାର ନକଲି ମେଡିସିନ ଜବତ ହୋଇଛି। ରାଜ୍ୟ ଭେ‌ଷଜ ନିୟନ୍ତ୍ରଣ ବିଭାଗ ଏହି ରେଡ୍ କରି ନକଲି ଔଷଧ ଜବତ କରିଛି।ଗୋଟିଏ ପଟେ କଟକରେ ନକଲି ଉଚ୍ଚ ରକ୍ତଚାପ ଔଷଧ ଟେଲମା ୪୦ ଓ ଟେଲମା ଏଏମ ଟାବଲେଟ ଯୋଗାଣ ଓ ବିକ୍ରି ଘଟଣାର ତଦନ୍ତରେ ସହଯୋଗ କରିବାକୁ ଓଡ଼ିଶା ସରକାର ବିହାର ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ଓଡ଼ିଶା ପକ୍ଷରୁ ନିଯୁକ୍ତ ଏକ ଟିମକୁ ସହଯୋଗ କରିବାକୁ ବିହାର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଓଡ଼ିଶା ସରକାର। ତଦନ୍ତ ପାଇଁ ଗଠିତ ହୋଇଥିବା ଟିମ୍ ନକଲି ଔଷଧ ଯୋଗାଣ ପ୍ରସଙ୍ଗରେ ବିହାରର ଡ୍ରଗ୍ସ କଣ୍ଟ୍ରୋଲରଙ୍କ ଠାରୁ ଫାର୍ମର ସବିଶେଷ ତଥ୍ୟ ହାସଲ କରିବା ପାଇଁ ବିହାର ଯିବେ ବୋଲି ଓଡ଼ିଶା ସ୍ୱାସ୍ଥ୍ୟ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି।

ତେବେ ବିଗତ କିଛିଦିନ ମଧ୍ୟରେ କଟକରୁ ୫୦ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ହୋଇ ସାରିଛି। ଉଭୟ ପୋଲିସ ଓ ଭେଷଜ ନିୟନ୍ତ୍ରଣ ବିଭାଗ ନକଲି ଔଷଧ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି। ଏହି ନକଲି ଔଷଧ କାରବାରରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

Related Posts