ଜଳସେଚନକୁ ରାଜ୍ୟ ସରକାରଙ୍କ ଗୁରୁତ୍ଵ; ୯ ଜିଲ୍ଲା ପାଇଁ ୪୦ଟି ଉଠା ଜଳସେଚନ ପ୍ରକଳ୍ପକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜଳସେଚନକୁ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱ ଦେଇଛନ୍ତି ସରକାର । ରାଜ୍ୟରେ ଜଳସେଚନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଗୁରୁବାର କ୍ୟାବିନେଟରେ ୯ଟି ଜିଲ୍ଲା ପାଇଁ ମୋଟ ୪୦ଟି ଉଠା ଜଳସେଚନ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିପାଇଁ ମୋଟ ୧୭୩୯ କୋଟି ୫୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି ଏବଂ ୧୫ ବର୍ଷ ପାଇଁ ପ୍ରକଳ୍ପର ରକ୍ଷଣାବେକ୍ଷଣ ବାବଦକୁ ମୋଟ ୧୪୦ କୋଟି ୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବାକୁ ଯୋଜନା ହୋଇଛି । ଏହି ୪୦ଟି ପ୍ରକଳ୍ପ ଦ୍ୱାରା ୯ଟି ଜିଲ୍ଲାର ୫୭ ହଜାର ୭୯୩ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ ବୋଲି କୁହାଯାଇଛି । ଆସନ୍ତା ୩ ବର୍ଷ ମଧ୍ୟରେ ଏହି ପ୍ରକଳ୍ପଗୁଡ଼ିକୁ ଶେଷ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । କେନ୍ଦୁଝର ଜିଲ୍ଲାରେ ୧୪ଟି ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ପାଇଁ ୫୧୧କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପ ଦ୍ୱାରା କେନ୍ଦୁଝର ଜିଲ୍ଲାର ୧୭ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବା ସହ ଜିଲ୍ଲାରେ ପାନୀୟ ଜଳ ଯୋଗାଣ ମଧ୍ୟ ସମ୍ଭବପର ହେବ ।

କଟକ ଓ ଅନୁଗୁଳ ଜିଲ୍ଲାରେ ୪୩୧ କୋଟି ଟଙ୍କାର ୯ଟି ମେଗା ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ୧୪୩୩୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ। ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୩୬୬କୋଟି ଟଙ୍କାର ୯ଟି ମେଗା ଉଠା ଜଳସେଚନ ପ୍ରକଳ୍ପରେ ୧୨୯୧୪ ହେକ୍ଟର ଜମିକୁ ଜଳସେଚନ, ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପର ୧୮ନମ୍ବର କ୍ଲଷ୍ଟର ଅନ୍ତର୍ଗତ କଳାହାଣ୍ଡି, ବଲାଙ୍ଗିର, ବରଗଡ଼ ଓ ଗଜପତି ଜିଲ୍ଲାରେ ୧୩୫୪୭ ହେକ୍ଟର ଜମିକୁ ଜଳସେଚନ ସୁବିଧା ନିମନ୍ତେ ୪୩୦କୋଟି ଟଙ୍କା ବ୍ୟୟରେ ଉଠା ଜଳସେଚନ ପ୍ରକଳ୍ପ ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ବଲାଙ୍ଗିର ଲୋଏର ସୁକତେଲ ବାମ କେନାଲରେ ଅଣ୍ଡରଗ୍ରାଉଣ୍ଡ ପାଇପ୍ ମାଧ୍ୟମରେ ୧୩ହଜାର ହେକ୍ଟର ଜମିକୁ ଜଳସେଚନ ନିମନ୍ତେ ୬୩୪କୋଟି ଟଙ୍କାର ଟେଣ୍ଡରକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି ।

ଯାଜପୁର ଜିଲ୍ଲାର କୋଚଳୀ ନଦୀ ଓ ବୈତରଣୀ ନଦୀରେ ୨ଟି ବ୍ୟାରେଜ୍ ନିର୍ମାଣ ପାଇଁ ୨୦୦ କୋଟି ଟଙ୍କାର ଟେଣ୍ଡରକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏଥିଯୋଗୁ ଧାମନଗର ଓ ଦଶରଥପୁର ବ୍ଲକରେ ବନ୍ୟା ସମସ୍ୟା ଓ ଜଳସେଚନ ସମସ୍ୟା ଦୂର କରାଯାଇପାରିବ ।

Related Posts