ସେଲଫି ନେବାକୁ ମନା କରିବାରୁ କ୍ରିକେଟର ପୃଥ୍ୱୀ ସ’ଙ୍କୁ ଆକ୍ରମଣ; ଭାଙ୍ଗିଲେ କାର ର କାଚ, ୮ ଜଣଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର,୧୬/୨(ସତ୍ୟପାଠ ବ୍ୟୁରୋ): ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ପୃଥ୍ଵୀ ସ ଙ୍କ ଉପରେ ଆକ୍ରମଣ ସହ ତାଙ୍କ କାର ଭଙ୍ଗାରୁଜା କରିଛନ୍ତି କିଛି ଯୁବକ। କେବଳ ଏତିକି ନୁହେଁ ତାଙ୍କ ସାଙ୍ଗଙ୍କ କାର ମଧ୍ୟ ଭଙ୍ଗାରୁଜା କରାଯାଇଥିଲା। ଏହି ମାମଲାରେ ୮ ଜଣଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି।

ସୂଚନାନୁସାରେ, ପୃଥ୍ଵୀ ସ ଏବଂ ତାଙ୍କ ସାଙ୍ଗଙ୍କୁ ହୋଟେଲ ବାହାରେ କିଛି ଯୁବକ ଆକ୍ରମଣ କରିଥିଲେ। ସେଲ୍ଫି ନେବାକୁ ମନା କରିବାରୁ ଏହି ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ମୁମ୍ବାଇର ଏକ ପଞ୍ଚତାରକା ହୋଟେଲକୁ ପୃଥ୍ଵୀ ସ ତାଙ୍କ ସାଙ୍ଗଙ୍କ ସହ ଆସିଥିଲେ। ହୋଟେଲ ପରିସରରେ ୨ ଜଣଙ୍କ ସହ ସେ ସେଲଫି ନେଇଥିଲେ।ଏହା ପରେ ଅଧିକ ଲୋକ ଆସି ପୁଣି ସେଲଫି ନେବାକୁ କହିଥିଲେ। ପୃଥ୍ଵୀ ମନା କରି କହିଥିଲେ ଯେ ସେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଏଠାକୁ ଆସିଛନ୍ତି। ସେଲ୍ଫି ନେବାକୁ ମନା କରିବାରୁ ତାଙ୍କୁ ଆକ୍ରମଣ କରାଯାଇଥିଲା। ତା’ପରେ ଅଭିଯୁକ୍ତମାନେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଟଙ୍କା ଦେବାକୁ ଧମକ ଦେଇଥିଲେ। ଟଙ୍କା ନ ଦେଲେ ମିଛ ମାମଲାରେ ଫସାଇଦେବାକୁ କହିଥିଲେ।

ଓଶିୱାରା ପୁଲିସ ଏହି ମାମଲାରେ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅଭିଯୋଗ ଅନୁଯାୟୀ, ଯେତେବେଳେ ଅଭିଯୁକ୍ତମାନେ ସେଲଫି ନେବାକୁ ଜୋର୍ କରିଥିଲେ, ସେତେବେଳେ ପୃଥ୍ଵୀଙ୍କର ସାଙ୍ଗ ହୋଟେଲ ମ୍ୟାନେଜରଙ୍କୁ ଡାକିଥିଲେ। ଏହା ପରେ ମ୍ୟାନେଜର ଅଭିଯୁକ୍ତଙ୍କୁ ଯିବାକୁ କହିଥିଲେ। ଏହା ପରେ ଯେତେବେଳେ ପୃଥ୍ଵୀ ହୋଟେଲରୁ ବାହାରକୁ ଆସିଲେ, କିଛି ଲୋକ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ।

Related Posts