ସୀମା ଲଙ୍ଘିଲା ବର୍ବରତା: ଟିକେ ଖୁସି ପାଇଁ କୁକୁର ଗୋଡ଼ରେ ବାଣ ବାନ୍ଧି ମାରିଦେଲେ ଦୁର୍ବୃତ୍ତ

ଭୁବନେଶ୍ବର: ଭୁବନେଶ୍ବରର ଜନପଥ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଯାହା ଏବେ ସମସ୍ତଙ୍କୁ ବିଚଳିତ କରିଛି । ସୀମା ଟପିଛି ବର୍ବରତା। ଦୀପାବଳିରେ ବାଣ ଫୁଟାଇବା ଖୁସି ପାଇଁ ଏକ ନିରୀହ ପଶୁ ନିଜର ବହୁମୂଲ୍ୟ ଜୀବନ ଦେଇଛି। କିଛି ଦୁର୍ବୃତ୍ତ ଅତି ନିର୍ମମ ଭାବେ କୁକୁର ଲାଞ୍ଜ ପଛପଟେ ବାଣ ବାନ୍ଧି ଫୁଟାଇ ମାରି ଦେଇଛନ୍ତି।

ଘଣ୍ଟାଧିକ କାଳ ରାସ୍ତା ପାର୍ଶ୍ବରେ ଦୟନୀୟ ଅବସ୍ଥାରେ ପଡ଼ିବା ପରେ କୁକୁରଟି ଜୀବନ ହରାଇଛି। ଏଭଳି ଏକ ବର୍ବରୋଚିତ କାଣ୍ଡ । ତେବେ ଏନେଇ ସ୍ଥାନୀୟ କ୍ୟାପିଟାଲ୍ ଥାନାରେ କୌଣସି ଅଭିଯୋଗ ହୋଇନଥିବା ପୁଲିସ କହିଛି।

ମିଳିଥିବା ସୂଚନା ମୁତାବକ, ଗତକାଲି ଜନପଥ ରାସ୍ତା ନିକଟସ୍ଥ ଏକ ହୋଟେଲ୍ ପାଖରେ କିଛି ଦୁର୍ବୃତ୍ତ ରାସ୍ତା ଉପରେ ବାଣ ଫୁଟାଉଥିଲେ। ଏହି ସମୟରେ ବୁଲା କୁକୁରକୁ ଦେଖି ଦୁର୍ବୃତ୍ତମାନେ ତାକୁ ଖାଇବା ଲୋଭ ଦେଖାଇ ପାଖକୁ ଡାକିଥିଲେ। ପାଖକୁ ଆସିବା ପରେ କୁକୁରର ପଛଗୋଡ଼ରେ ବାଣ ବାନ୍ଧି ଫୁଟାଇଥିଲେ। ବାଣ ଫୁଟିବା ଯୋଗୁଁ ଗୁପ୍ତାଙ୍ଗ ଓ ପଛପଟରେ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ରାସ୍ତାରେ ଛଟପଟ ହେଉଥିଲେ ବି ଦୁର୍ବୃତ୍ତଙ୍କର ଏତିକିରେ ମନ ଶାନ୍ତି ହୋଇନଥିଲା। ପରେ ତା ବେକ ନିକଟରେ ମଧ୍ୟ ବାଣ ବାନ୍ଧି ଫୁଟାଇଥିଲେ। ବେକ ଓ ଶରୀରର ଅନ୍ୟାନ୍ୟ ଅଙ୍ଗ କ୍ଷତାକ୍ତ ହେବା ସହ ଦରମରା ହୋଇଯିବା ପରେ ଦୁର୍ବୃତ୍ତମାନେ ସେଠାରୁ ପଳାଇ ଆସିଥିଲେ। ପରେ ସେହି ରାସ୍ତା କଡ଼ରେ ପଡ଼ି ଅତି କଦର୍ଯ୍ୟ ଭାବେ ଜୀବନ ହରାଇଥିଲେ।

ତେବେ ଆଜି ସକାଳୁ ବିଏମ୍‌ସିର କିଛି ସଫେଇ କର୍ମଚାରୀ ମୃତ କୁକୁରକୁ ଅଳିଆ ବୁହା ଗାଡ଼ିରେ ଫୋପାଡ଼ିଥିଲେ। ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବାରୁ ଘଟଣା ବାବଦରେ ବିସ୍ତୃତ ସୂଚନା ମିଳିପାରିନାହିଁ

Related Posts