ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାରିବିଆନ୍ ରାଷ୍ଟ୍ର କ୍ୟୁବାରେ ସରିଗଲା ଇନ୍ଧନ । ଦୈନିକ ୨୦ରୁ ୨୨ ଘଣ୍ଟା ପର୍ୟ୍ୟନ୍ତ ଘଣ୍ଟା ବିଦ୍ୟୁତ୍ କାଟ। ତେବେ ଦେଶରେ ଡିଜେଲ ଓ ଇନ୍ଧନ ତେଲ ସମ୍ପୂର୍ଣ୍ଣ ଭାବେ ସରିଯାଇଥିବା ନେଇ ଶକ୍ତି ମନ୍ତ୍ରୀ ‘ଭିସେଣ୍ଟେ ଡେ ଲା ଓ’ ସୂଚନା ଦେଇଛନ୍ତି। ଏହି କାରଣରୁ ରାଜଧାନୀ ହାଭାନା ସମେତ ସାରା ଦେଶରେ ଦିନକୁ ୨୦ରୁ ୨୨ ଘଣ୍ଟା ପର୍ୟ୍ୟନ୍ତ ବିଦ୍ୟୁତ୍ ବିଭ୍ରାଟ ଜାରି ରହିଛି। ବିଦ୍ୟୁତ୍ ଅଭାବରୁ ଖାଦ୍ୟ, ଔଷଧ, ପାଣି ଓ ପରିବହନ ଭଳି ଅତ୍ୟାବଶ୍ୟକ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୧୦ ନିୟୁତ ଲୋକ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଦେଶର ବିଦ୍ୟୁତ୍ ଗ୍ରୀଡ୍ କେବଳ ସ୍ଥାନୀୟ ଅଶୋଧିତ ତୈଳ ଏବଂ ନବୀକରଣୀୟ ଶକ୍ତି ଉପରେ ନିର୍ଭର କରି ଚାଲୁଛି। ଶକ୍ତି ମନ୍ତ୍ରୀଙ୍କ ଅନୁଯାୟୀ, ଆମେରିକା-ଇସ୍ରାଏଲ ଓ ଇରାନ ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ତୈଳ ଦର ଓ ପରିବହନ ଖର୍ଚ୍ଚ ବୃଦ୍ଧି ପାଇବା ଏହି ସଙ୍କଟକୁ ଆହୁରି ଜଟିଳ କରିଛି।
ଚଳିତ ବର୍ଷ ଜାନୁଆରୀ ମାସରୁ ମେକ୍ସିକୋ ଏବଂ ଭେନେଜୁଏଲା ଭଳି ପ୍ରମୁଖ ଯୋଗାଣକାରୀ ଦେଶ କ୍ୟୁବାକୁ ତେଲ ପଠାଇବା ବନ୍ଦ କରିଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପକ୍ଷରୁ କ୍ୟୁବାକୁ ସହାୟତା କରୁଥିବା ଦେଶଗୁଡ଼ିକ ଉପରେ ଶୁଳ୍କ ଲଗାଇବାର ଧମକ ଯୋଗୁଁ ଏହି ସମସ୍ୟା ଉପୁଜିଛି। କେବଳ ରୁଷର ଏକ ତୈଳ ଟ୍ୟାଙ୍କର୍ ”ଆନାଟୋଲି କୋଲୋଡକିନ୍” ଏପ୍ରିଲ ମାସରେ କିଛି ପରିମାଣର ତେଲ ପହଞ୍ଚାଇବାରେ ସକ୍ଷମ ହୋଇଥିଲା। ଏହି ମାନବୀୟ ସଙ୍କଟକୁ ଦୃଷ୍ଟିରେ ରଖି ଜାତିସଂଘ ଗତ ସପ୍ତାହରେ ଆମେରିକାର ଏହି ଅବରୋଧକୁ ବେଆଇନ ବୋଲି ଦର୍ଶାଇଛି।
