ଖସୁଛି ପାରଦ, ବଢୁଛି ଶୀତ: ୧୦ ଡିଗ୍ରୀ ତଳେ ୭ ସହରର ରାତି ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ ।ବଙ୍ଗୋପସାଗରରେ ଭୀଷଣ ବାତ୍ୟା ପ୍ରଭାବରେ ରାଜ୍ୟକୁ ଥଣ୍ଡା ଉତ୍ତରା ପବନ ବହୁଛି । ଏଥିପାଇଁ ଗୁରୁବାର ଅଧିକ ଶୀତ ଅନୁଭୂତ ହୋଇଥିଲା । ଶୁକ୍ରବାର ଦିନତମାମ କୋହଲା ପାଗ ଲାଗି ରହିଥିବା ବେଳେ, ଗୁରୁବାର ୭ ସହରର ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଜି. ଉଦୟଗିରିରେ ସବୁଠୁ ଥଣ୍ଡା ସହର ପାଲଟିଥିଲା । ଏଠାରେ ରାତି ତାପମାତ୍ରା ୬ ଡିଗ୍ରୀ ଥିଲା । ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗିବାଡ଼ିରେ ୭.୫, କିରେଇରେ ୮.୨, ଚିପିଲିମାରେ ୯.୨, ଝାରସୁଗୁଡ଼ାରେ ୯.୬, ଭବାନୀପାଟଣାରେ ୯.୬, ରାଣୀତାଲରେ ୧୦, ଅନୁଗୁଳରେ ୧୦, ସୁନ୍ଦରଗଡ଼ରେ ୧୦ ଓ କୋରାପୁଟରେ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଛି ।

ଶନିବାରଠାରୁ ରାଜ୍ୟରେ ରାତି ତାପମାତ୍ରା ବଢ଼ିଯିବ । ଏଥିପାଇଁ ଶୀତ କମିବ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ପ୍ରଭାବରେ ସ୍ଥଳଭାଗକୁ ଜଳୀୟବାଷ୍ପ ଆସିବ । ଫଳରେ କମ୍‌ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।

ଆଣ୍ଡାମାନ ସାଗରରେ ଆସନ୍ତା ୧୩ ତାରିଖରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି । ଏହା ଲଘୁଚାପର ରୂପ ନେବ । କିନ୍ତୁ କେତେ ଘନୀଭୂତ ହେବ ତାହା ସ୍ପଷ୍ଟ ହୋଇନାହିଁ ।

ଅନ୍ୟପକ୍ଷରେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ବାତ୍ୟା ପ୍ରଭାବରେ ଗୁରୁବାର ରାଜ୍ୟକୁ ଶୁଷ୍କ ଥଣ୍ଡା ପବନ ଆସିଥିଲା । ଏଥିପାଇଁ ଶୀତ ଅନୁଭୂତ ହେଲା । କିନ୍ତୁ ଏବେ ଜଳୀୟବୀଷ୍ପ ପ୍ରବେଶ କରିସାରିଲାଣି । ଏହା ତାପମାତ୍ରା କମାଇବାକୁ ଦେବନି । ରାତି ତାପମାତ୍ରା ବଢ଼ିବା ସହ ଶୀତ କମିବ । ୧୬ ତାରିଖ ଯାଏ ରାଜ୍ୟରେ ବିଶେଷ ଶୀତ ହେବନି ବୋଲି କହିଛନ୍ତି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ଉମାଶଙ୍କର ଦାଶଙ୍କ ପୂର୍ବାନୁମାନ କହୁଛି, ଆସନ୍ତା ଦୁଇ ଦିନ ଭିତରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ ।

Related Posts