୨୪ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା, ସାରା ରାଜ୍ୟରେ ବର୍ଷା

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ଅବପାତ ଏବେ ବାତ୍ୟାରେ ପରିଣତ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ‘ପେଥାଇ’ ଭୀଷଣ ବାତ୍ୟାର ରୂପ ନେବ ।

ସୋମବାର ଅପରାହ୍ଣରେ ଏହା ଆନ୍ଧ୍ରପ୍ରଦେଶର କାକିନାଡ଼ା ଏବଂ ଓଙ୍ଗଲ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ରବିବାର ଓ ସୋମବାର ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ ।

ରବିବାରଠାରୁ ସାରା ରାଜ୍ୟରେ ବର୍ଷା ସହ କୋହଲା ପାଗ ଲାଗି ରହିବ । ‘ପେଥାଇ’ ପ୍ରଭାବରେ ୬ଟି ଜିଲ୍ଲା, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁରରେ ରବିବାରଠାରୁ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ଦକ୍ଷିଣ ଓଡ଼ିଶାରେ ପବନର ବେଗ ୫୦ରୁ ୭୦ କିମି ରହିବ । ‘ପାଥେଇ’ ପାଇଁ ରାଜ୍ୟର ସବୁ ବନ୍ଦରରେ ୧ ନମ୍ବର ସତର୍କ ସୂଚନା ଜାରି କରାଯାଇଛି ।

ସେପଟେ ଫସଲ ଅମଳ ବେଳେ ହୋଇଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀ । ବର୍ଷାକୁ ଦେଖି ଚାଷୀମାନେ ମେସିନ ଲଗାଇ ଧାନ କାଟିବାରେ ଲାଗି ପଡ଼ିଛନ୍ତି । ରାୟଗଡ଼ା ଜିଲ୍ଲାରେ କପାଚାଷୀମାନେ କପା ତୋଳିବା ଆରମ୍ଭ କରି ଦେଇଛନ୍ତି । ଗଂଜାମ ଜିଲ୍ଲାରେ ଚାଷୀମାନେ ତରତର ହୋଇ ଧାନ ଅମଳରେ ଲାଗିଛନ୍ତି ।

କିଛି ଚାଷୀ ସୁରକ୍ଷିତ ସ୍ଥାନକୁ ଧାନ ନେଇଯାଉଥବା ବେଳେ ଆଉ କେତେକ ସ୍ଥାନରେ ଧାନ କିନ୍ତୁ ପଡ଼ି ରହିଛି । କୃଷି ବିଭାଗର କ୍ଷେତ୍ର ଅଧିକାରୀମାନେ ଗାଁ ଗାଁ ବୁଲି ଚାଷୀମାନଙ୍କୁ ସଚେତନ କରାଉଛନ୍ତି । ବର୍ଷା ସମ୍ଭାବନା ଥିବାରୁ ଚାଷୀମାନେ କଟା ହୋଇଥିବା ଧାନକୁ ସାଇତି ରଖିବାକୁ ପରାମର୍ଶ ଦେଇଛନ୍ତି ଡେପୁଟି ଏସଆରସି ।

Related Posts