‘ପ୍ରଚାର ସର୍ବସ୍ବ ସରକାର ଓ ଲାଞ୍ଚୁଆ ଗଣମାଧ୍ୟମ, ସମାଜ ଓ ରାଜ୍ୟ ପାଇଁ ସତର୍କ ଘଣ୍ଟି’

ବିଭିନ୍ନ ସରକାରୀ ଯୋଜନା ନାଁରେ ରାଜ୍ୟ ରାଜକୋଷରୁ, ରାଜ୍ୟର ଅଗଣିତ ଟିକସଦାତାଙ୍କ ଅର୍ଥକୁ ଲଗାତାର ମନଇଚ୍ଛା, ନିୟନ୍ତ୍ରଣହୀନ ଭାବେ ବରବାଦ କରାଯାଉଛି । ଏହାକୁ ନେଇ ଗୋଟିଏ ପଟେ ନବୀନ ପଟ୍ଟନାୟକଙ୍କ ସରକାରର ସ୍ବେଚ୍ଛାଚାରିତା ପଦାରେ ପଡ଼ିଥିବାବେଳେ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବା ବଦଳରେ ସରକାରୀ ବିଜ୍ଞାପନ ପାଇଯାଇ ସରକାରଙ୍କ ଗୋଡ଼ାଣିଆ ସାଜିଥିବା ରାଜ୍ୟର ଗଣମାଧ୍ୟମ ଖାସ୍‌ କରି ପ୍ରମୁଖ ସମ୍ବାଦପତ୍ର ଗୁଡ଼ିକର ଦାୟିତ୍ବବୋଧତା ଉପରେ ମଧ୍ୟ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ ।

ଗତ କିଛି ଦିନ ହେଲା ନବୀନ ସରକାରଙ୍କ ଦ୍ବାରା ନୂଆ କରି ଆରମ୍ଭ କରାଯାଇଥିବା ପିଠା ଯୋଜନାର ବିଜ୍ଞାପନକୁ ନିଆଯାଇପାରେ । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ମିଡିଆ ସେଲ୍‌ର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ । ରାଜ୍ୟର ବିଭିନ୍ନ ସମ୍ବାଦପତ୍ରରେ ଏହାକୁ ନେଇ ପୃଷ୍ଠା ପୃଷ୍ଠାର ବିଜ୍ଞାପନ ଦିଆଯାଉଛି । ପୁଣି ଗୋଟିଏ ଗୋଟିଏ ସମ୍ବାଦପତ୍ରରେ ଗୋଟିଏ ଦିନରେ ଦୁଇରୁ ତିନି ପୃଷ୍ଠାରୁ ବିଜ୍ଞାପନ ଗୋଟିଏ ଯୋଜନା ‘ପିଠା’ ବାବଦରେ ହିଁ ଦିଆଯାଉଛି ।

ପ୍ରଶ୍ନ ହେଲା ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସ୍ତରରୁ ନେଇ ପଞ୍ଚାୟତଯାଏଁ ସରକାରଙ୍କର ବିଭିନ୍ନ ବିଭାଗ ରହିଛି । ତା ସତ୍ବେ ଯୋଜନାର ପ୍ରଚାର ନାଁରେ ଯେଉଁଭଳି ଗଣମାଧ୍ୟମ ସଂସ୍ଥା ଗୁଡ଼ିକରେ କୋଟି କୋଟି ଟଙ୍କାର ବିଜ୍ଞାପନ ଦିଆଯାଉଛି ରାଜ୍ୟ ରାଜକୋଷ ତଥା ଟିକସ ଦାତାଙ୍କ ଅର୍ଥର ଲୁଟ୍‌ ଭିନ୍ନ ଆଉ କିଛି ନୁହେଁ ।

ନିଜର ପ୍ରଚାର ପାଇଁ ରାଜ୍ୟ ରାଜକୋଷକୁ ମନଇଚ୍ଛା ବ୍ୟବହାର କରିବା ଯେତିକି ବିପଜ୍ଜନକ ତାଠାରୁ ଅଧିକ ଦୁର୍ଭାଗ୍ୟଜନକ ସମାଜର ଜାଗ୍ରତ ପ୍ରହରୀ କୁହାଯାଉଥିବା ଗଣମାଧ୍ୟମ ଗୁଡ଼ିକର ଏ ନେଇ ନିରବତା । ସରକାରଙ୍କ ସ୍ବେଚ୍ଛାଚାରୀ ଓ ମନୋମୁଖୀ କାର୍ଯ୍ୟକୁ ସମାଲୋଚନା କରିବା ବଦଳରେ ଗଣମାଧ୍ୟମ, ମୁଖ୍ୟତଃ ରାଜ୍ୟର ପ୍ରମୁଖ ଖବରକାଗଜ ସବୁ ପୃଷ୍ଠାର ସରକାରୀ ବିଜ୍ଞାପନ ପାଇ ସରକାରଙ୍କ ଗୋଡ଼ାଣିଆ ସାଜିଛନ୍ତି ।

ଏବେ ଚାଲିଥିବା ହକି ବିଶ୍ବକପ୍‌ ପାଇଁ ମଧ୍ୟ ନବୀନ ସରକାର ଏହିପରି ବିଜ୍ଞାପନ ମାଧ୍ୟମରେ ଯେଉଁଭଳି କୋଟି କୋଟି ଟଙ୍କାର ରାଜସ୍ବ ଖର୍ଚ୍ଚ କରିଛନ୍ତି ତାହା ମଧ୍ୟ ପ୍ରଶ୍ନ ଘେରରେ । ସରକାରୀ ଖର୍ଚ୍ଚର ହିସାବ କିତାବ, ତଥା ସରକାରୀ କାମ କାର୍ଯ୍ୟ ଉପରେ ନିୟନ୍ତ୍ରଣ ରଖିବାକୁ ଲୋକାୟୁକ୍ତ ଓ ଲୋକପାଳ ଆଦିର ପରିକଳ୍ପନା କରାଯାଇଥିଲା ।

ସିଏଜିଙ୍କ ପକ୍ଷରୁ ମଧ୍ୟ ସରକାରଙ୍କ ଖର୍ଚ୍ଚ ବାବଦରେ ଅଡିଡ୍‌ କରାଯାଇ ରିପୋର୍ଟ ପ୍ରଦାନ କରାଯାଏ । କିନ୍ତୁ ଲୋକପାଳ ବା ଲୋକାୟୁକ୍ତ ନିଯୁକ୍ତିକୁ ସରକାର ବର୍ଷ ବର୍ଷ ଧରି ଗଡ଼ାଇ ଚାଲିଥିବାବେଳେ ସିଏଜି ନିଜ ରିପୋର୍ଟରେ ଗୁରୁତର ଅନିୟମିତତା ସମ୍ପର୍କରେ ଉଲ୍ଲେଖ ଥିଲେ ମଧ୍ୟ ତା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉଥିବା ଦେଖାଯାଏନାହିଁ ।

ଏହା ଗୋଟିଏ ପଟେ ଶାସନ ବ୍ୟବସ୍ଥା ଓ ଶାସନରେ ଥିବା ସରକାରଙ୍କ ସ୍ବେଚ୍ଛାଚାରିତାକୁ ଦର୍ଶାଉଥିବାବେଳେ ଅନ୍ୟପଟେ ବିକାଶର ମିଛ ପ୍ରଚାର ନାଁରେ ଗୋଟିଏ ରାଜ୍ୟର ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଉଛି । ସେ କେନ୍ଦ୍ର ସରକାର ହୁଅନ୍ତୁ ବା ରାଜ୍ୟ ସରକାର, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ଏମାନଙ୍କ ଗୋଡ଼ାଣିଆ ପାଲଟିବା ଓ ଟଙ୍କା ଲୋଭରେ ନିଜ ଦାୟିତ୍ବରୁ ଦୂରେଇ ରହିବା ଭବିଷ୍ୟତ ପାଇଁ ବିପଜ୍ଜନକ ପ୍ରମାଣିତ ହେବ ।

Related Posts