
ମୁମ୍ବାଇ(ସତ୍ୟପାଠ ବ୍ୟୁରୋ): ଦାଉଦ ଇବ୍ରାହିମ ମନି ଲଣ୍ଡରିଂ ମାମଲାରେ ନବାବ ମଲିକଙ୍କ ଭାଇ କପ୍ତାନ ମଲିକଙ୍କୁ ସମନ ପଠାଇଲା ଇଡି । ସେପଟେ ନଓ୍ଵାବ ମଲିକଙ୍କ ଭଉଣୀ ମଧ୍ୟ ଗୁରୁବାର ଦିନ ଇଡି କାର୍ୟ୍ୟାଳୟରେ ପହଞ୍ଚିଥିଲେ। ମୁମ୍ବାଇ ଅଣ୍ଡରୱାର୍ଲ୍ଡର କାର୍ୟ୍ୟକଳାପ ସହିତ ଜଡିତ ଏକ ମନି ଲଣ୍ଡରିଂ ମାମଲାରେ ନଓ୍ଵାବ ମଲିକଙ୍କୁ ଗିରଫ କରିବାର ଗୋଟିଏ ଦିନ ପରେ ଇଡି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଅନ୍ୟପକ୍ଷରେ ଆଜି ଗିରଫ ନଓ୍ଵାବ ମଲିକଙ୍କୁ ମାର୍ଚ୍ଚ ୩ ତାରିଖ ପର୍ୟ୍ୟନ୍ତ ଇଡି ହେପାଜତକୁ ପଠାଇ ଦିଆଯାଇଛି।
ଏହି ମନି ଲଣ୍ଡରିଂ ମାମଲା ପଳାତକ ଅଣ୍ଡରଓ୍ଵାଲର୍ଡ ଡନ୍ ଦାଉଦ ଇବ୍ରାହିମର ସହଯୋଗୀମାନଙ୍କ ସହ ନଓ୍ଵାବ ମଲିକଙ୍କ କଥିତ ଏକ ଚୁକ୍ତି ସହିତ ଜଡିତ ବୋଲି ଇଡି ସୂତ୍ରରୁ ପ୍ରକାଶ। ଦାଉଦ ଇବ୍ରାହିମ, ତାଙ୍କ ଭାଇ ଅନିସ, ଇକବାଲ, ସହଯୋଗୀ ଛୋଟା ସକିଲ ଏବଂ ଅନ୍ୟମାନଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ମାମଲାର ଏବେ ଇଡି ଅନୁସନ୍ଧାନ କରୁଛି। ଗତ ସପ୍ତାହରେ, ତଦନ୍ତ କାଳରେ ଇଡି ମୁମ୍ବାଇର ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଆରମ୍ଭ କରିଥିଲା। ଇଡି କହିଛି ଯେ ଏକ ନିର୍ଦ୍ଦିଷ୍ଟ ରିଅଲ ଇଷ୍ଟେଟ ପ୍ରକଳ୍ପରେ ନଓ୍ଵାବ ମଲିକଙ୍କ ବେନାମୀ ବିନିଯୋଗର ବିବରଣୀ ସେମାନଙ୍କ ପାଖରେ ଅଛି।