ଦିନକ ପରେ ଲକଡାଉନ୍ : ଦୋକାନ ଆଗରେ ଭିଡ ନକରିବାକୁ ପରାମର୍ଶ ଦେଲେ ଏସ୍ଆରସି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଉ ଦିନକ ପରେ ସାରା ରାଜ୍ୟରେ ଲକଡାଉନ୍ ଲାଗିବାକୁ ଯାଉଛି। ମେ’ ମାସ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ସହ ସପ୍ତାହାନ୍ତ ସଟ୍‌ଡାଉନ୍ ମଧ୍ୟ ବଳବତ୍ତର ରହିବ । ଏହି ସମୟରେ ପ୍ରତିଦିନ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଦୋକାନ ଗୁଡ଼ିକ ଖୋଲା ରହିବ । ତେଣୁ ଏବେ ଦୋକାନ ଆଗରେ ଗ୍ରାହକମାନେ ଅଯଥାରେ ଭିଡ଼ ନକରିବା ପାଇଁ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ପରାମର୍ଶ ଦେଇଛନ୍ତି । ଯେହେତୁ ବୁଧବାର ଠାରୁ ତାଲାବନ୍ଦ ଘୋଷଣା ହୋଇଛି ଗ୍ରାହକମାନେ ଜିନିଷପତ୍ର କିଣିବା ପାଇଁ ବଜାର ହାଟରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା। ପରିବା ଦୋକାନ ଠାରୁ, ଆରମ୍ଭ କରି ରାସନ୍ ଦୋକାନ ସବୁଠି ଲୋକଙ୍କ ଲାଇନ ଲମ୍ବିଥିଲା । ଲୋକେ ୧୫ ଦିନ ପାଇଁ ସାମଗ୍ରୀ କିଣିବାକୁ ଆସିଥିଲେ । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏଭଳି ଭିଡକୁ ନଜରରେ ରଖି ଏସଆରସି ରାଜ୍ୟବାସୀଙ୍କୁ ଗହଳି ନକରିବାକୁ ଅନୁରୋଧ କରିଛନ୍ତି । ଏସଆରସି କହିଛନ୍ତି , ଲକ୍‌ଡାଉନ୍‌ ସମୟରେ ଅତ୍ୟଧିକ ସାମଗ୍ରୀ କିଣନ୍ତୁ ନାହିଁ। ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ସୋମବାରଠାରୁ ଶୁକ୍ରବାର ସକାଳ ୬ଟାରୁ ୧୨ଟା ଯାଏ ଦୋକାନ ଖୋଲା ରହିବ। ଗ୍ରୋସେରୀ, ମାଛ, ଖାଦ୍ୟ ଓ ଜରୁରୀ ସାମଗ୍ରୀ ଦୋକାନ ଗୁଡ଼ିକ ଖୋଲା ରହିବ। ରାଜ୍ୟରେ ପର୍ଯ୍ୟପ୍ତ ପରିମାଣର ସାମଗ୍ରୀ ମହଜୁଦ ଅଛି ବୋଲି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।
ରବିବାର ପୂର୍ବାହ୍ନରେ ସାରା ରାଜ୍ୟରେ ଲକ୍‌ଡାଉନ୍‌ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮,୯୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫,୦୮୧ ଜଣ କ୍ୱାରେଣ୍ଟାଇନ୍‌ରେ ଚିହ୍ନଟ ଥିବା ବେଳେ ୩,୮୩୩ଟି ଲୋକାଲ୍ କେସ୍‌। ସେହିପରି ରାଜ୍ୟରେ ଆଜି ଆଉ ୫ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

Related Posts