
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପାର୍ବଣ ସମୟରେ ସାଇବର ଠକମାନଙ୍କ ଠାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ୍ ସିଂହ । ଏକ ଭିଡିଓ ବାର୍ତା ଜାରିକରି ଡିସିପି କହିଛନ୍ତି ଯେ ସାଇବର ଠକ ଲୋଭନୀୟ ଅଫର ଦେଇ ଲୁଟିପାରନ୍ତି । ତେଣୁ ସାବଧାନ ରୁହନ୍ତୁ । କୌଣସି ମେସେଜ୍ କୁ କିମ୍ବା ଲିଙ୍କ୍ କୁ ଆଖି ବୁଜି ବିଶ୍ୱାସ କରନ୍ତୁ ନାହିଁ ।କିମ୍ବା ସେଥିରେ ବିଶ୍ୱାସ କରି ତାକୁ କ୍ଲିକ କରନ୍ତୁ ନାହିଁ । ସାଇବର ଠକ ଏବେ ଲୋକଙ୍କୁ ବିଭିନ୍ନ ଉପାୟରେ ଠକିବାକୁ ଉଦ୍ୟମ କରୁଛନ୍ତି । ନୂଆ ନୂଆ ବାହାନା ଦେଖାଇ, ବିଭିନ୍ନ ଗିଫ୍ଟ କିମ୍ବା ଅଫରର ଲୋଭ ଦେଖାଇ କିମ୍ବା ଗିଫ୍ଟ କୁପନର ଲୋଭ ଦେଖାଇ ଲୁଟି ପାରନ୍ତି ସାଇବର ଠକ ।
ପାର୍ବଣ ସମୟରେ ପୁରସ୍କାର କିମ୍ବା ଲଟେରୀ ଆଦିର ମଧ୍ୟ ଅଫର ଦେଇପାରନ୍ତି ଠକମାନେ । ତେଣୁ ଏଥିପ୍ରତି ସାଧାରଣ ଲୋକେ ସାବଧାନ ରୁହନ୍ତୁ । ତେବେ ଏମିତି କିଛି ଅଫର ଦେଖାଇ ସାଇବର ଠକ ପ୍ରଥମେ ଓଟିପି ମାଗିପାରନ୍ତି । ତେଣୁ ଏସବୁ ପ୍ରତି ସାଧାରଣ ଲୋକ ସତର୍କ ରହିବା ସହ କୌଣସି ଲୋଭନୀୟ ଅଫର ଜାଲରେ ପଡ଼ନ୍ତୁ ନାହିଁ । କୌଣସି ଅଜଣା ବ୍ୟକ୍ତିକୁ ବିଶ୍ୱାସ କରିବା ନାହିଁ କିମ୍ବା କୌଣସି ଅଜଣା କଲ୍ରେ ଓଟିପି ସେୟାର କରିବା ନାହିଁ ବୋଲି ଡିସିପି ପରାମର୍ଶ ଦେଇଛନ୍ତି । ଏହାସହ କୌଣସି ନିର୍ଦ୍ଧିଷ୍ଟ ସୁନା ଦୋକାନରୁ ଅଳଙ୍କାର କିଣିଲେ ଗିଫ୍ଟ ମିଳିବ ବୋଲି କହି ଲୋକଙ୍କୁ ଜାଲରେ ପକାଇବା ପରେ ତାଙ୍କ ମୋବାଇଲରୁ ସବୁ ଡାଟା ଚୋରି କରି ନିଅନ୍ତି ସାଇବର ଠକ । ଆଉ ଏହାପରେ ଆଖି ପିଛୁଳାକେ ଆକାଉଂଟ ଖାଲି ହୋଇଯାଏ । ତେଣୁ ଏସବୁ ଦିଗ ପ୍ରତି ସାବଧାନ ରହିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ।