ଭାଜପା ସହ ମେଣ୍ଟ କରିବା ଆମର ସବୁଠାରୁ ବଡ ମୂର୍ଖତା ଥିଲା : ନୀତିଶ କୁମାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ଜେଡିୟୁ ଓ ଭାଜପା ମଧ୍ୟରେ ମେଣ୍ଟ ଭାଙ୍ଗିବା ପରେ ଦୁଇ ଦଳ ମଧ୍ୟରେ ରାଜନୈତିକ ବାକ୍‌ଯୁଦ୍ଧ ଜାରି ରହିଛି। ପ୍ରତିଦିନ ଭାଜପା ଓ ଜେଡିୟୁ ନେତାମାନେ ପରସ୍ପର ଉପରେ ଆରୋପ-ପ୍ରତ୍ୟାରୋପ କରୁଛନ୍ତି। ଏହି କ୍ରମରେ ଜେଡିୟୁର ନ୍ୟାଶନାଲ କାଉନସିଲର ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୧୭ରେ ଭାଜପା ସହ ମେଣ୍ଟ କରିବା ତାଙ୍କର ଭୁଲ ନିଷ୍ପତ୍ତି ଥିଲା ବୋଲି କହିଛନ୍ତି। ନୀତୀଶ କୁମାର କହିଛନ୍ତି ଯେ, ୨୦୧୭ ବିହାର ବିଧାନସଭା ନିର୍ବାଚନରେ ଭାଜପା ସହ ମେଣ୍ଟ କରିବା ଆମର ଭୁଲ ନିଷ୍ପତ୍ତି ଥିଲା ଏବଂ ଭାଜପା ସହ ଯିବା ଆମର ସବୁଠାରୁ ବଡ ମୂର୍ଖତା ଥିଲା।

ସେ ଆହୁରି କହିଛନ୍ତି ଯେ, ୨୦୧୯ରେ ଲୋକ ସଭା ନିର୍ବାଚନ ପରେ କେନ୍ଦ୍ର ସରକାରରେ ମନ୍ତ୍ରୀ ହେବା ପାଇଁ ଆମକୁ ଦୁଇଟି ନାମ ଦେବା ପାଇଁ କୁହାଯାଇଥିଲା। କିନ୍ତୁ ଆମେ ଦିଲ୍ଲୀରେ ପହଞ୍ଚିବା ପରେ କେବଳ ଗୋଟିଏ ନାମ ଆବଶ୍ୟକ ବୋଲି କୁହାଗଲା। ଆମେ ଏଥିରେ ରାଜି ହୋଇ ନ ଥିଲୁ କାରଣ ଆମେ ଚାହୁଁଥିଲୁ ଯେ ଜେଡିୟୁ କୋଟାରୁ କେନ୍ଦ୍ରରେ ଚାରିଜଣ ମନ୍ତ୍ରୀ ରହିବା ଉଚିତ। ଶେଷରେ ଆମ ଦଳର ଜଣେ ମନ୍ତ୍ରୀ ହୋଇଥିଲେ। ନୀତିଶ ଆହୁରି କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଆମର ଦଳ ଅଛି, ଆମେ ଏହି ଲୋକଙ୍କ(ଭାଜପା) ସହ ଆଉ କୌଣସି ଆପୋଷ ବୁଝାମଣା କରିବୁ ନାହିଁ। ଏହି ଲୋକମାନେ ( ଭାଜପା ) କେବଳ ହିନ୍ଦୁ-ମୁସଲମାନମାନଙ୍କୁ ବିଭାଜନ କରି ଶାସନ କରିବାକୁ ଚାହାଁନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ନିଜ କାର୍ଯ୍ୟକାଳ ସମୟରେ ଆରଏସଏସ କଥା ଶୁଣି ନ ଥିଲେ । ପୂର୍ବରୁ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନେ ଯେଉଁ କାର୍ଯ୍ୟକ୍ରମକୁ ଗଲେ ଅଟଳ ଜୀଙ୍କ ନାମ ନେଉଥିଲେ, କିନ୍ତୁ ବର୍ତ୍ତମାନ ସେମାନେ ଅଟଳ ଜୀଙ୍କ ନାମ ନେବାକୁ ଭୁଲି ଯାଇଛନ୍ତି ବୋଲି ନୀତିଶ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ମାସରେ ହଠାତ୍‌ ଭାଜପା ହାତ ଛାଡି ନୀତିଶ କୁମାର ଆରଜେଡି ସହ ମିଶି ବିହାରରେ ନୂତନ ସରକାର ଗଢିଥିଲେ। ଏହାପରଠାରୁ ଉଭୟ ଦଳର ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଲାଗି ରହିଛି।

Related Posts