ଭୁବନେଶ୍ୱର,୭/୧(ସତ୍ୟପାଠ ବ୍ୟୁରୋ): ପାରାଦୀପ ପୋର୍ଟରେ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟଣାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ହୃଦଘାତରେ ରୁଷୀୟ ନାଗରିକ ମିଲ୍‌ ୟାକୁବ୍‌ ସର୍ଜଇଙ୍କ ମୃତ୍ୟୁ ହୋଇଥିବହା ସ୍ପଷ୍ଟ ହୋଇଛି । ଏନେଇ ଜଗତସିଂହପୁର ଏସ୍‌ପି ରାହୁଲ୍‌ ପିଆର୍‌ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ଗତ ଜାନୁୟାରୀ ୪ ତାରିଖ ଦିନ ରୁଷୀୟ ଚିଫ୍‌ ଇଞ୍ଜିନୟର ମିଲ୍‌ ୟାକୁବ୍‌ ସର୍ଜାଇଙ୍କର ପାରାଦୀପ ବନ୍ଦରରେ ଲାଗିଥିବା ଜାହାଜ ଅଲଦାନା ଭେସେଲ୍‌ରେ ମୃତ୍ୟୁ ହୋଇଥିଲା । ଏହି ମୃତ୍ୟୁ ନେଇ ସାରା ଦେଶରେ ଆଲୋଡନା ସୃଷ୍ଟି ହୋଇଥିଲା । ପରେ ପାରାଦୀପ ମେରାଇନ୍‌ ଥାନା ପୋଲିସ ଜାହାଜରୁ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।ଏହାସହିତ ଭିସେରା ଟେଷ୍ଟ ନିମନ୍ତେ ମୃତ ଶରୀରର ବିଭିନ୍ନ ପ୍ରମୁଖ ଅଂଶର ନମୁନା ସଂଗ୍ରହ କରି ଭୁବନେଶ୍ୱର ସ୍ଥିତ ଫରେନ୍ସିକ ଲ୍ୟାବକୁ ପଠାଇଛି । ଆଉ ଏବେ ତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଯେଉଁଥିରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଏବେ ତାଙ୍କ ମୃତଦେହକୁ ପାରାଦୀପ ପୋର୍ଟ ହସ୍ପିଟାଲରେ ରଖାଯାଇଛି । ସମସ୍ତ କାଗଜପତ୍ର କାମ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଏସ୍‌ପି କହିଛନ୍ତି । ତେବେ ଏହି ଘଟଣାରେ ଆଗକୁ ପୋଲିସର ତଦନ୍ତ କେଉଁଆଡେ ଯାଉଛି । ତାହା ଦେଖିବାକୁ ବାକି ରହିଲା ।