ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର,୭/୧(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିଜେପିର ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡିଶା ଆସିବେ ଅମିତ ଶାହ । ଚଳିତ ମାସ ଶେଷ କିମ୍ବା ଆଗାମୀ ମାସ ପ୍ରଥମ ସପ୍ତାହରେ ସେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହଛି । ଏନେଇ ତାରିଖ ନିର୍ଦ୍ଧାରଣ ହୋଇନାହିଁ, ଖୁବ ଶୀଘ୍ର ସ୍ଥାନ ଏବଂ ତାରିଖ ନିର୍ଦ୍ଧାରଣ କରାଯିବ ବୋଲି ସୂଚନା ଦେଇଛନ୍ତି ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ।

ତେବେ ଏହା ପୂର୍ବରୁ ଗତ ୭ ଅଗଷ୍ଟ ୨୦୨୨ରେ ଅମିତ ଶାହ ଶେଷ ଥର ପାଇଁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ । ସେହିପରି ପୂର୍ବରୁ ମଧ୍ୟ ଦଳୀୟ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସିଥିଲେ । ସେ କନ୍ଧମାଳ ଓ ପୁରୀ ଲୋକସଭା ଆସନରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାକୁ ଫୋକସ କରିଛି ଭାରତୀୟ ଜନତା ପାର୍ଟି। ଏଠାରୁ କିପରି ଅଧିକରୁ ଅଧିକ ସିଟ୍ ବିଜୟୀ ହେବ ସେନେଇ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଦଳ। ସେଥିପାଇଁ ଲଗାତାର କେନ୍ଦ୍ରୀୟ ମନ୍ତ୍ରୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଅନ୍ୟ ନେତା ମାନେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତେବେ ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ କାର୍ଯ୍ୟକ୍ରମ ଅବସରରେ କହିଥିଲେ ଯେ, ବିଜେପି ଓଡ଼ିଶାରେ ସଂଗଠନକୁ ଆହୁରି ସୁଦୃଢ କରିବାକୁ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏଥିପାଇଁ ଦଳ ୨ ସୂତ୍ରୀ ଫର୍ମୁଲାରେ କାମ କରିବ ଓ ଆଗକୁ ନଡ୍ଡା ଓ ଶାହ ଓଡ଼ିଶା ଗସ୍ତରେ ଆସିବେ।

Related Posts