ଭୁବନେଶ୍ୱର,୧୪/୧(ସତ୍ୟପାଠ ବ୍ୟୁରୋ): ଓସିଏ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ରାଜଶ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଆଜି ଓସିଏ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛି କଟକ ନଗର ବିଜେପି। ରାଜଶ୍ରୀ ମୃତ୍ୟ ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ବିଜେପି। ଗତ ୧୧ ତାରିଖରୁ ନିଖୋଜ ଥିବା ରାଜଶ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ଆଠଗଡ଼ ଜଙ୍ଗଲରୁ ଉଦ୍ଧାର ହୋଇଥିଲା, ଯାହାକୁ ନେଇ ଓଡ଼ିଶା କ୍ରୀଡ଼ା ଜଗତରେ ଶୋକ ପ୍ରକାଶ ପାଇଥିଲା।
ତେବେ ଗୋଟିଏ ପଟେ ରାଜଶ୍ରୀଙ୍କ ଶବ ବ୍ୟବଚ୍ଛେଦ ଶେଷ ହୋଇଥିଲା ବେଳେ ଏହି ଘଟଣା ଏବେ ବିବାଦର କେନ୍ଦ୍ର ବିନ୍ଦୁ ପାଲଟିଛି। ସେପଟେ ରାଜଶ୍ରୀଙ୍କ ସ୍କୁଟି ଡିକିରୁ ଏକ ଚିଠି ମିଳିଛି। ଏହି ଚିଠିରେ ତାଙ୍କ ମୃତ୍ୟୁ ପାଇଁ ୨ଜଣ ଦାୟୀ ବୋଲି ଉଲ୍ଲେଖ ରହିଛି। ଜଣେ ପ୍ରଶିକ୍ଷକଙ୍କ ସହ ଓସିଏର ଜଣେ ପୂର୍ବତନ ସଦସ୍ୟ ଦାୟୀ ବୋଲି ଦର୍ଶାଯାଇଛି। ତେବେ ଏହି ଚିଠିଟି ରାଜଶ୍ରୀଙ୍କ ହାତଲେଖା ନା ନାହିଁ ସ୍ପଷ୍ଟ ହୋଇ ନାହିଁ।
ବିଜେପିର କହିବା ଅନୁସାରେ, ରାଜ୍ୟରେ ମହିଳା ଅସୁରକ୍ଷିତ ଥିଲା ବେଳେ ଏବେ କ୍ରୀଡ଼ାରେ ମଧ୍ୟ ମହିଳା ଅସୁରକ୍ଷିତ ହୋଇ ପଡିଲେଣି। ରାଜଶ୍ରୀଙ୍କ ଯେପରି ମୃତ୍ୟୁ ହେଉଛି, ଏଥିରୁ ଜଣାପଡୁଛି ରାଜ୍ୟରେ ସରକାର ସମ୍ପୁର୍ଣ ଅପାରଗ ହୋଇପଡ଼ିଛି। ବର୍ତ୍ତମାନ ସମମୟରେ ରାଜଶ୍ରୀଙ୍କୁ ନ୍ୟାୟ ଦେବା ଆମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ବିଜେପି କର୍ମୀ।
