କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଫୋନ ଯୋଗେ ହତ୍ୟା ଧମକ

ଭୁବନେଶ୍ୱର,୧୪/୧(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ହତ୍ୟା ଧମକ । ନାଗପୁରରେ ଅବସ୍ଥିତ ତାଙ୍କର କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ ଫୋନକୁ ଜଣେ ଅଜ୍ଞାତ ବ୍ୟକ୍ତି ଫୋନ କରି ହତ୍ୟା ଧମକ ଦେଇଥିବା ଜଣାପଡ଼ିଛି। ଏହି ଧମକ ମିଳିବା ପରେ ନିତିନ ଗଡକରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନାଗପୁର ପୁଲିସକୁ ଏକ ଅଭିଯୋଗ ଦିଆଯାଇଛି।

ସୂଚନାନୁସାରେ, ଆଜି ସକାଳୁ ୩ଥର ନିତିନ ଗଡକରୀଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି। ପୁଲିସକୁ ଏନେଇ ଅଭିଯୋଗ ମିଳିବା ପରେ ତଦନ୍ତ ଆରମ୍ଭ କରାଯାଇଛି। ନାଗପୁରର ଜନସମ୍ପର୍କ କାର୍ଯ୍ୟାଳୟକୁ ଏହି ଧମକପୂର୍ଣ୍ଣ ଫୋନ୍ କଲ ଆସିଥିଲା ବୋଲି ଜଣାପଡ଼ିଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନିତିନ ଗଡକରୀ ଏବେ ନାଗପୁରରେ ଅଛନ୍ତି। ଏହି ସମୟରେ ନିତିନ ଗଡ଼କରୀଙ୍କ ସହ ତାଙ୍କ କାର୍ଯ୍ୟାଳୟକୁ ମଧ୍ୟ ବୋମାରେ ଉଡ଼ାଇ ଦିଆଯିବାର ଧମକ ଦିଆଯାଇଛି। ପୁଲିସ ଏବେ କଲ୍ କରିଥିବା ଅଭିଯୁକ୍ତଙ୍କ ଲୋକେସନ ଟ୍ରାକ୍ କରିବାକୁ ଚେଷ୍ଟା କରୁଛି। ଲୋକେସନ ମିଳିବା ପରେ ଯିଏ ଦୋଷୀ ତାକୁ ତୁରନ୍ତ ଗିରଫ କରାଯିବ ଏବଂ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୁଲିସ।

ମିଳିଥିବା ସୂଚନା ଅନୁସାରେ, ନିତିନ ଗଡକରୀଙ୍କ କାର୍ଯ୍ୟାଳୟକୁ ଶନିବାର ଫୋନ୍ ପ୍ରଥମ ଥର ପାଇଁ ସକାଳ ୧୧.୨୯ ରେ, ଦ୍ୱିତୀୟ ଥର ୧୧.୩୫ରେ ଏବଂ ତୃତୀୟ ଥର ୧୨.୩୨ରେ ଧମକପୂର୍ଣ୍ଣ ଫୋନ୍ କଲ ଆସିଥିଲା।

Related Posts