ଭୁବନେଶ୍ବର: ରାଜ୍ୟରୁ ଉଠିଛି ଚୁକ୍ତିଭିତ୍ତିକ ନିଯୁକ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ବିରୋଧୀ ସ୍ବର ଉତ୍ତୋଳନ କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ଉଚ୍ଛେଦ ଆସନ୍ତା ଯୁବପିଢିଙ୍କ ଭବିଷ୍ୟତ ପାଇଁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଏ ନେଇ ବିଧାୟକ ସାଲୁଜା କହିଛନ୍ତି, “ସରକାର ଯେଉଁ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ କରିଛନ୍ତି, ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି । କେତେ ବର୍ଷ କାମ କରିଥିବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଚାକିରିକୁ ନିୟମିତ କରାଯିବ ସେ ନେଇ କୌଣସି ସୂଚନା ନାହିଁ । ଅନେକ କର୍ମଚାରୀ ୮ରୁ ୧୦ ବର୍ଷ କାମ କରିଥିଲେ ମଧ୍ୟ ସେମାନଙ୍କୁ ନିୟମିତ କରାଯାଇନାହିଁ । ସୁପ୍ରିମକୋର୍ଟଙ୍କ ଏ ନେଇ ମଧ୍ୟ ଏକ ରାୟ ରହିଛି ଯେ, ୧୦ ବର୍ଷରୁ ଅଧିକ କାର୍ଯ୍ୟ କରିଥିବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରାଯାଉ । ତେବେ ସରକାର କାହାକୁ ଆଧାର କରି ଏହି ନିଷ୍ପତ୍ତି ନେଇଛନ୍ତି ତାହା ଜଣାପଡି ନାହିଁ ।
ସରକାରଙ୍କ ଏହି ନିଷ୍ପତ୍ତି ସ୍ବାଗତଯୋଗ୍ୟ । ମାତ୍ର ସରକାର ଚୁକ୍ତିଭିତ୍ତିକ ନିଯୁକ୍ତିକୁ ବନ୍ଦ କରନ୍ତୁ ନାହିଁ । କାରଣ ଚୁକ୍ତିଭିତ୍ତିକ ନିଯୁକ୍ତି ଲାଗି ରାଜ୍ୟରେ ୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଏହା ବନ୍ଦ ହୋଇଯିବା ଦ୍ବାରା ସେମାନଙ୍କୁ ଚାକିରି ମିଳିବ ନାହିଁ । ତେବେ ଏବେ ସେମାନଙ୍କୁ ଚାକିରି ଦେବାର ବ୍ୟବସ୍ଥା କରାଯାଉ । ରାଜ୍ୟ ସରକାର ପ୍ରତିବର୍ଷ ୨ ଲକ୍ଷଙ୍କୁ ଚାକିରି ଦେବାକୁ କହିଥିଲେ । ମାତ୍ର ୪ ବର୍ଷ ମଧ୍ୟରେ ୮ ହଜାରଙ୍କୁ ମିଳିନାହିଁ ।”ସାଲୁଜା ଆହୁରି କହିଛନ୍ତି ଯେ, “୨୦୧୩ରୁ ପରଠାରୁ ନିଯୁକ୍ତି ଠିକା କର୍ମଚାରୀ ମାନଙ୍କୁ ଏହାର ଫାଇଦା ମିଳୁଥିବାବେଳେ ୨୦୦୦ରୁ ୨୦୧୩ ମଧ୍ୟରେ ଠିକାରେ ନିଯୁକ୍ତି କର୍ମଚାରୀ ଏବେ ଅନିଶ୍ଚିତତା ଭିତରେ ରହିଛନ୍ତି । ୭୦ହଜାର ଠିକା କର୍ମଚାରୀ ରହିଥିବାବେଳେ ୫୭ହଜାର କର୍ମଚାରୀ ଲାଭବାନ ହେବେ ଓ ଅବଶିଷ୍ଟ କର୍ମଚାରୀଙ୍କ ଭାଗ୍ୟ କଣ ହେବ ତାହା ଭବିଷ୍ୟତ କହିବ ।”
