ବରଦାସ୍ତ ହେଲାନି ପାକିସ୍ତାନର ପରାଜୟ; ରାଗରେ ସାମ୍ବାଦିକଙ୍କ ଫୋନ ଛଡାଇ ନେଲେ ପିସିବି ଅଧ୍ୟକ୍ଷ ରମିଜ୍ ରାଜା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବରଦାସ୍ତ ହେଲାନି ନିଜ ଦଳର ପରାଜୟ । ଏସିଆ କପ୍‌ ଫାଇନାଲରେ ଶ୍ରୀଲଙ୍କା ଠାରୁ ପାକସ୍ତାନ ହାରିବା ପରେ ସାମ୍ବାଦିକଙ୍କ ପ୍ରଶ୍ନରେ ରାଗିଗଲେ ପାକିସ୍ତାନ କ୍ରିକେଟ ବୋର୍ଡ ( ପିସିବି )ର ଅଧ୍ୟକ୍ଷ ରମିଜ ରାଜା। ରାଗରେ ସାମ୍ବାଦକଙ୍କୁ ଦୁର୍ବ୍ୟବହାର କରିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଗତକାଲି ଏସିଆ କପ୍‌ର ଫାଇନାଲ ମୁକାବିଲା ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ପାକିସ୍ତାନକୁ ୨୩ ରନରେ ପରାସ୍ତ କରି ଷଷ୍ଠ ଥର ପାଇଁ ଏସିଆ କପ୍ ଟାଇଟଲ୍ ହାତେଇଛି ଲଙ୍କାବାହିନୀ। ପାକିସ୍ତାନର ପରାଜୟ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ସଭାପତି ରମିଜ ରାଜା ଷ୍ଟାଡିୟମ ବାହାରେ କିଛି ସାମ୍ବାଦିକଙ୍କ ସହ କଥା ହୋଇଥିଲେ। ଭାରତୀୟ ସାମ୍ବାଦିକମାନେ ପାକିସ୍ତାନର ପରାଜୟରେ ସେ ଦୁଃଖି କି ବୋଲି ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନ ଶୁଣି ସେ ଅତ୍ୟନ୍ତ ରାଗିଯାଇଥିଲେ । ସମସ୍ତଙ୍କ ଅଗରେ ସାମ୍ବାଦିକଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ। ମ୍ୟାଚ୍ ପରେ ଯେତେବେଳେ ଭାରତୀୟ ସାମ୍ବାଦିକ ରମିଜ ରାଜାଙ୍କୁ ପଚାରିଥିଲେ ଯେ ପାକିସ୍ତାନ ଜନସାଧାରଣଙ୍କୁ ଆପଣ କିଛି କହିବେ କି ? ଏହା ଶୁଣିବା ପରେ ରମିଜ ରାଜା ସମସ୍ତଙ୍କ ସାମ୍ନାରେ ସାମ୍ବାଦିକଙ୍କ ଫୋନ ଛଡାଇ ନେଇଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ ଯେ, ଏହି ଫାଇନାଲ ମ୍ୟାଚରେ ପାକିସ୍ତାନ ଅଧିନାୟକ ବାବର ଆଜାମ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ​କିନ୍ତୁ ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ୍ ଭାନୁକା ରାଜପକ୍ଷେ, ଭାନିନ୍ଦୁ ହାସରାଙ୍ଗା ଏବଂ ଚାମିକା କରୁଣାତ୍ନେ ଚମତ୍କାର ବ୍ୟାଟିଂ କରିଥିଲେ। ସେମାନେ ପାକିସ୍ତାନ ଆଗରେ ବଡ ସ୍କୋର୍‌ ଠିଆ କରିଥିଲେ। ପରେ ପାକିସ୍ତାନ ଦଳ ଏହି ସ୍କୋର୍‌କୁ ଅତିକ୍ରମ କରିପାରି ନଥିଲା ଓ ବିଫଳ ହୋଇଥିଲା।

Related Posts