ଜୟପୁର(ସତ୍ୟପାଠ ବ୍ୟୁରୋ): ରାଜସ୍ଥାନ ପୁଲିସର ଆତଙ୍କବାଦୀ ନିରୋଧୀ ସ୍କ୍ବାଡ (ଏଟିଏସ୍‌) ଶୁକ୍ରବାର ରାଜ୍ୟରେ ବଡ଼ଧରଣର ଚଢ଼ଉ କରି ପାଖାପାଖି ୩୦ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ପଚରାଉଚରା ପାଇଁ ଅଟକ ରଖିଛି। ଜୟପୁର, ଆଜମେର୍‌, ଚୁରୁ, ଡୁଙ୍ଗରପୁର, ବାଡମେର୍‌ ଓ ଅନ୍ୟ ୧୨ରୁ ଅଧିକ ସହରରେ ଚଢ଼ଉ କରି ଏଟିଏସ୍‌ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ ହ୍ୟାଣ୍ଡଲର ଶାହଜାଦ ଭଟ୍ଟି ସହିତ ସୋସିଆଲ ମିଡିଆ ମାଧ୍ୟମରେ ସମ୍ପର୍କରେ ଥିବା ଅଭିଯୋଗରେ ପୁଲିସ ସନ୍ଦିଗ୍ଧମାନଙ୍କୁ ଅଟକ ରଖିଛି। ଦିଲ୍ଲୀ ପୁଲିସ ଭଟ୍ଟିର ନିର୍ଦ୍ଦେଶରେ କାମ କରୁଥିବା ଏକ ଆନ୍ତଃରାଜ୍ୟ ଆତଙ୍କବାଦ ଓ ଅସ୍ତ୍ରଶସ୍ତ୍ର ନେଟୱାର୍କର ପର୍ଦ୍ଦାଫାସ କରିବା ପରେ ଏହି ଚଢାଉ କରାଯାଇଥିଲା। ଯେଉଁଥିରେ ପଞ୍ଜାବ ବାସିନ୍ଦା ଶୁଭଦୀପ ସିଂହ (୨୩), ଗୁରଜନ୍ତ ସିଂହ (୨୨), ସାଜନ ସିଂହ (୨୮) ଏବଂ ଗଗନପ୍ରୀତ (୨୪)ଙ୍କୁ ଗିରଫ କରାଯାଇଥିଲା। ଏହି ସନ୍ଦିଗ୍ଧମାନଙ୍କୁ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ପାଇଁ ବ୍ୟବହାର କରାଯାଇଥାନ୍ତା ବୋଲି ପୁଲିସ କହିଛି। ସନ୍ଦିଗ୍ଧମାନେ ଧରା ନପଡ଼ିବା ପାଇଁ ବିଦେଶୀ ଫୋନ୍‌ ନମ୍ବର ବ୍ୟବହାର କରୁଥିଲେ। ରାଜସ୍ଥାନ ଏଟିଏସ୍‌ କହିଛି ଭଟ୍ଟି ସୋସିଆଲ ମିଡିଆ ମାଧ୍ୟମରେ ଯୁବପିଢ଼ିଙ୍କୁ ଆକର୍ଷିତ କରୁଥିଲା। ପୁଲିସ ସେମାନଙ୍କଠାରୁ ଇଲୋକ୍ଟ୍ରୋନିକ ଉପକରଣ ଜବତ କରିଛି। ଜେରା ପରେ ଯଦି ସନ୍ଦିଗ୍ଧମାନେ କେବଳ ସୋସିଆଲ ମିଡିଆରେ ସୀମିତ ଥିବେ ବୋଲି ଜଣାପଡ଼ିବ ସେମାନଙ୍କ ଉପକରଣ ଫେରସ୍ତ କରାଯିବ। ସନ୍ଦିଗ୍ଧମାନଙ୍କ ପୃଷ୍ଠଭୂମି, ବ୍ୟାଙ୍କ ଆକାଉଣ୍ଟ ଓ ଅପରାଧିକ ରେକର୍ଡ଼ ମଧ୍ୟ ଯାଞ୍ଚ କରାଯିବ। ଜୁନ୍‌ ୨୨ରେ ଏଟିଏସ୍‌ ଜୟପୁରରୁ ବବିତା ଓରଫ ଖାଦିଜାକୁ ଗିରଫ କରିଥିଲା। ଖାଦିଜା ଜୈସ-ଏ-ମହମ୍ମଦ ଆତଙ୍କବାଦୀ ଥିଲା ଓ ତାଙ୍କୁ ୟୁଏପିଏ ଆଇନରେ ଗିରଫ କରାଯାଇଥିଲା। ଖାଦିଜା ଅନଲାଇନରେ ଜୈସର ଜଣେ କମାଣ୍ଡରକୁ ବିବାହ କରିଥିଲା ଓ ପାକିସ୍ତାନ ଫେରାର ହୋଇଯିବାକୁ ଯୋଜନା କରୁଥିଲା।