୩ ଦିନିଆ ଭିଏତନାମ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୩ ଦିନିଆ ଭିଏତନାମ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ତେବେ ଜୁନ୍ ୮ରୁ ୧୦ ପର‌୍ୟ୍ୟନ୍ତ ସେ ଭିଏତନାମ ଗସ୍ତ କରିବେ। ଭିଏତନାମ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଫନ ଭାନ୍ ଜିଆଙ୍ଗ ନିମନ୍ତ୍ରଣକ୍ରମେ ରାଜନାଥ ଏହି ଯାତ୍ରା କରିବେ। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଲାଗି ଦ୍ୱିପାକ୍ଷିକ ଆଲୋଚନା କରିବେ ରାଜନାଥ । ପ୍ରତିରକ୍ଷା କାର‌୍ୟ୍ୟକୁ ଆହୁରି ମଜବୁତ କରିବା ପାଇଁ ଉଭୟେ ନେତା ନୂତନ ପଦକ୍ଷେପ ବିଷୟରେ ଆଲୋଚନା କରିବେ । ସେହିପରି ଦୁଇ ନେତା ପରସ୍ପର ମଧ୍ୟରେ ଆଞ୍ଚଳିକ ଏବଂ ବିଶ୍ୱ ପ୍ରସଙ୍ଗ ନେଇ ମତ ବିନିମୟ କରିବେ। ଏହି ଅବସରରେ ରାଜନାଥ ସିଂହ ହାନୋଇରେ ଥିବା ଭିଏତନାମର ପୂର୍ବତନ ରାଷ୍ଟ୍ରପତି ହୋ ଚି ମିନିଙ୍କୁ ସମ୍ମାନ ଜଣାଇ କାର‌୍ୟ୍ୟକ୍ରମ ଆରମ୍ଭ କରିବେ। ଭିଏତନାମକୁ ଭାରତ ସରକାର ୧୦୦ ମିଲିୟନ୍ ଡଲାରର ନିର୍ମିତ ୧୨ଟି ହାଇ ସ୍ପିଡ୍ ଗାର୍ଡ ବୋଟ ଯୋଗାଇ ଦେବ।

ଏହି କାର‌୍ୟ୍ୟକ୍ରମକୁ ମଧ୍ୟ ରାଜନାଥ ସିଂହ ଉଦଘାଟନ କରିବେ। ଏହି ପ୍ରକଳ୍ପ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି କୁହାଯାଇଛି। ଏଥିସହ ଏହି ପ୍ରକଳ୍ପ ମୋଦିଙ୍କ ସ୍ୱପ୍ନ ଆତ୍ମନିର୍ଭର ଭାରତର ଅନ୍ୟ ଏକ ସଫଳତମ ଦୃଷ୍ଟାନ୍ତ ବୋଲି କୁହାଯାଉଛି। ଏହି ଗସ୍ତ ସମୟରେ ରାଜନାଥ ସିଂହ ଭିଏତନାମର ସାମରିକ ତାଲିମ ପ୍ରତିଷ୍ଠାନ ସମେତ ଟେଲିକମ୍ୟୁନିକେସନ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବେ। ଯେଉଁଠି ଭାରତ ସରକାରଙ୍କ ପକ୍ଷରୁ ୫ ମିଲିୟନ ଡଲାର ଅନୁଦାନରେ ସେନା ସଫ୍ଟୱେୟାର ପାର୍କ ପ୍ରତିଷ୍ଠା କରାଯାଉଛି। ଏହି ଅବସରରେ ସେ ଭାରତର ଦୂତାବାସ ଦ୍ୱାରା ଆୟୋଜିତ କମ୍ୟୁନିଟି ଇଭେଣ୍ଟ କାର‌୍ୟ୍ୟକ୍ରମରେ ଯୋଗଦେବେ। ୨୦୧୬ରୁ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ ଓ ସହଯୋଗ ନେଇ ଏକ ବଡ଼ ଭାଗିଦାରି ରହି ଆସିଛି।

Related Posts