ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଚିହ୍ନଟ ହେଲା ଦିଲ୍ଲୀ ବିଧାନସଭା ଅନୁପ୍ରବେଶକାରୀ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଇ ଏପରି କରିଥିବାର ସୂଚନା । ତେବେ ଟ୍ରେସ୍ ହୋଇଥିବା ଗାଡ଼ି ନମ୍ବରରୁ ଚାଳକ ସରବଜିତ ସିଂହ ରୂପେ ଚିହ୍ନଟ ହୋଇଛି। ଏହି ମାମଲାରେ ପିଲଭିତରେ ଥିବା ସରବଜିତର ପରିବାର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସରବଜିତର ଭାଇ କହିଛି ଯେ ସେ ଘରୁ ଗଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଯାଉଥିବା କହି ଯାଇଛି। ସରବଜିତର ଭାଇ ଅବତାର ସିଂହ କହିଛନ୍ତି ଯେ କିଛି ସମୟ ହେଲା ସରବଜିତର ମାନସିକ ସ୍ଥିତି ଠିକ୍ ନାହିଁ।ପରିବାର ଅନୁସାରେ ନିକଟରେ ସରବଜିତ ଭଣଜା ଜୟଦୀପ ଓ ଅନ୍ୟ ଜଣେ ସମ୍ପର୍କୀୟ ହରମନଦୀପକୁ ଖୋଜିବାକୁ ପଞ୍ଜାବର ଆନନ୍ଦପୁର ସାହିବ ଅଞ୍ଚଳକୁ ଯାଇଥିଲା। ଏଥି ପାଇଁ ସେ ଘରେ କାହାକୁ କିଛି କହିନଥିଲା। ତେବେ ୩ ଦିନ ପୂର୍ବେ ଯୋଗାଯୋଗ କରାଯିବାରେ ସେ ଚଣ୍ଡିଗଡ଼ ଯାଉଥିବା କହିଥିଲା। ଅବତାର ସିଂହ କହିଛନ୍ତି ଯେ ସରବଜିତ ଫେବୃଆରୀରୁ ମେ ମାସ ମଧ୍ୟରେ ଅଜବ ବ୍ୟବହାର କରେ। ଏଥିରେ ସେ କ୍ରୋଧିତ ହେବା ସହ କେବେ କେବେ ଗାଳି ଗୁଲଜ ମଧ୍ୟ କରେ। ଏଣୁ ପରିବାର କହିଛି ଯେ ଦିଲ୍ଲୀ ଯିବା ଓ ସେଠାରେ ବିଧାନସଭା ପରିସରକୁ ପଶିବା ତା ମାନସିକ ସ୍ଥିତି ବିଗିଡିବା କାରଣରୁ ହୋଇପାରେ।