ତୃତୀୟ ଲହର କବଳରୁ ପିଲାମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଦିଲ୍ଲୀ ସରକାର ଗଠନ କରିବେ ସ୍ବତନ୍ତ୍ର ଟାସ୍କ୍‌ ଫୋର୍ସ : ଅରବିନ୍ଦ କେଜରିୱାଲ

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : ଦେଶରେ କରୋନା ମହାମାରୀର ଦ୍ବିତୀୟ ଲହର ଆତଙ୍କ ସୃଷ୍ଟି କରିଥିବା ବେଳେ ଏବେ ତୃତୀୟ ଲହରକୁ ନେଇ ଆଶଙ୍କା ବଢିଲାଣି। ବିଶେଷଜ୍ଞଙ୍କ ମତ ଅନୁଯାୟୀ ତୃତୀୟ ଲହରରେ ପିଲାମାନେ ଅଧିକ ଆକ୍ରାନ୍ତ ହେବେ। ତେବେ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଆଜିଠୁ ଏହାର ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି । କେଜରିୱାଲ ସରକାର ଏଥିପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ତୃତୀୟ ଲହର କବଳରୁ ଶିଶୁଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ସ୍ବତନ୍ତ୍ର ଟାସ୍କ୍‌ ଫୋର୍ସ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗୁରୁତ୍ୱ ଦେଇଛନ୍ତି। ଔଷଧ, ଅକ୍ସିଜେନ୍‌ ଆଦି ମହଜୁଦ୍‌ ରଖିବା ସହିତ ହସ୍ପିଟାଲରେ ବେଡ୍‌ ଉପଲବ୍ଧ ଲାଗି ସରକାରଙ୍କ ପକ୍ଷରୁ ଉଚ୍ଚ ଅଧିକାରୀଙ୍କର ଏକ ଟିମ୍‌ ମଧ୍ୟ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ରୀ ସତୈନ୍ଦ୍ର ଜୈନ୍ ଏବଂ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ଶିସୋଦିଆ ଉପସ୍ଥିତ ଥିଲେ। ଏହି ସ୍ବତନ୍ତ୍ର ଟାସ୍କଫୋର୍ସ ଶିଶୁରୋଗ ବିଶେଷଜ୍ଞଙ୍କ ସମେତ ବହୁ ସିନିୟର ଅଧିକାରୀଙ୍କୁ ନେଇ ଗଠନ କରାଯିବ ।


କେଜରିୱାଲ ଟ୍ବିଟ୍ କରି କହିଛନ୍ତି, “ଯଦି କରୋନାର ତୃତୀୟ ଲହର ଆସେ , ତେବେ ଏହାର ମୁକାବିଲା କରିବା ପାଇଁ ଆମକୁ ଆଗୁଆ ପ୍ରସ୍ତୁତ ହେବାକୁ ପଡିବ। ଆଜି ଅଧିକାରୀଙ୍କ ସହ ଏକ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ – ତୃତୀୟ ଲହରରୁ ପିଲାମାନଙ୍କୁ ରକ୍ଷା କରିବା ପାଇଁ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ, ପର୍ଯ୍ୟାପ୍ତ ବେଡ୍, ଅମ୍ଳଜାନ ଏବଂ ଅତ୍ୟାବଶ୍ୟକ ଔଷଧର ପରିଚାଳନା ପାଇଁ ଆମେ ଆଜି ଠାରୁ ପ୍ରସ୍ତୁତ। ” ତୃତୀୟ ଲହରରେ ୪୦ ହଜାର ଅକ୍ସିଜେନ ବେଡ୍ , ୧୦ ହଜାର ଆଇସିୟୁ ବେଡ୍ ସ୍ଥାପନ ପାଇଁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି ।

Related Posts