ଦିଲ୍ଲୀର ଛାତିଥରା ଘଟଣା; ନିଜ ପ୍ରେମିକାକୁ ମାରି, ଶବକୁ ୩୫ ଖଣ୍ଡ କରି ୧୮ ଦିନ ପର୍ଯ୍ୟନ୍ତ ଜଙ୍ଗଲରେ ଫିଙ୍ଗୁଥିଲା ପ୍ରେମିକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରେମ ପରେ ଲିଭ୍‌-ଇନ୍ ରିଲେସନ୍ ଓ ଶେଷରେ ହତ୍ୟା। ଏଭଳି ଏକ ଛାତିଥରା ହତ୍ୟା ମାମଲା ଘଟିଛି ରାଜଧାନୀ ଦିଲ୍ଲୀରେ । ପ୍ରେମିକାକୁ ହତ୍ୟା କରିବା ପରେ ଶବକୁ ୩୫ ଖଣ୍ଡ କଲା ପ୍ରେମିକ। ତା ପରେ ପ୍ରେମିକାର ଶରୀରର ଛୋଟ ଛୋଟ ଟୁକୁଡାକୁ ବଡ଼ ଏକ ଫ୍ରିଜ୍‌ ଭିତରେ ରଖିଥିଲା। ସୁବିଧା ଦେଖି ନିକଟରେ ଥିବା ଜଙ୍ଗଲ ଓ ଭିନ୍ନ ଭିନ୍ନ ଅଞ୍ଚଳରେ ମାଂସ ଟୁକୁଡାକୁ ଫୋପାଡୁଥିଲା ହତ୍ୟାକାରୀ ପ୍ରେମିକ। ସମ୍ପୂର୍ଣ୍ଣ ଶରୀରକୁ ଫୋପଡ଼ିବାକୁ ତାକୁ ୧୮ ଦିନ ସମୟ ଲାଗିଥିଲା। ତେବେ ପ୍ରେମିକାକୁ ହତ୍ୟା କରିବାର ୫ ମାସ ପରେ ଧରାପଡିଛି ହତ୍ୟାକାରୀ ପ୍ରେମିକ ଆଫତାଭ ଅମିନ ପୁନାଓ୍ବାଲା।

ପୋଲିସର ସୂଚନା ଅନୁସାରେ, ଆଫତାଭ ନିଜ ପ୍ରେମିକା ଶ୍ରଦ୍ଧାର ମୃତଦେହକୁ ୩୫ ଖଣ୍ଡ କରି କାଟିବା ପରେ ନିଜ ଘରେ ରଖିଥିଲା। ସେଥିପାଇଁ ଆଫତାଭ ଏକ ନୂଆ ବଡ ଫ୍ରିଜ୍‌ କିଣିକି ଆଣିଥିଲା। ୧୮ ଦିନ ପର୍ଯ୍ୟନ୍ତ ମୃତଦେହକୁ ଫ୍ରିଜ୍ ଭିତରେ ରଖିଥିଲା। ରାତି ୨ଟା ବେଳେ ଉଠି ମୃତଦେହର ଟୁକୁଡା ମାଂସ ଗୁଡିକୁ ପ୍ଲାଷ୍ଟିକ୍ ବ୍ୟାଗ୍ ଭିତରେ ଭରି କରି ଫୋପାଡିକି ଆସୁଥିଲା।

ପ୍ରଥମିକ ତଦନ୍ତ ପରେ ପୋଲିସର ସୂଚନା ଅନୁଯାୟୀ, ଶ୍ରଦ୍ଧା ପୂର୍ବରୁ ମୁମ୍ବାଇରେ ଏକ ମଲ୍ଟି ନ୍ୟାସନାଲ କମ୍ପାନୀର କଲ୍‌ ସେଣ୍ଟରରେ କାମ କରୁଥିଲେ। ହତ୍ୟା ଅଭିଯୁକ୍ତ ଆଫତାଭ ବିବାହ କରିବା ପ୍ରତିଶ୍ରୁତି ଦେଇ ୨୬ ବର୍ଷୀୟ ଶ୍ରଦ୍ଧାଙ୍କୁ ମୁମ୍ବାଇର ମଲାଡରୁ ଦିଲ୍ଲୀ ନେଇ ଆସିଥିଲା। ୮ ନଭେମ୍ବରରେ ଶ୍ରଦ୍ଧାଙ୍କ ବାପା ବିକାଶ ମଦାନ ଓ୍ବାକର(୫୯) ନିଜ ଝିଅର ଅପହରଣ ନେଇ ଦିଲ୍ଲୀର ମହରୋଲି ଥାନାରେ ମାମଲା ରୁଜୁ କରିଥିଲେ।

ଶ୍ରଦ୍ଧାଙ୍କ ବାପା କହିଛନ୍ତି ଯେ, ସେ ପରିବାର ସହିତ ମହାରାଷ୍ଟ୍ରର ପାଲଘରରେ ରୁହନ୍ତି। ତାଙ୍କ ଝିଅ ଶ୍ରଦ୍ଧା ମୁମ୍ବାଇର ମଲାଡରେ ଥିବା ଏକ ମଲ୍ଟି ନ୍ୟାସନାଲ କମ୍ପାନୀର କଲ୍‌ ସେଣ୍ଟରରେ ଚାକିରୀ କରୁଥିଲେ। ସେଠାରେ ଶ୍ରଦ୍ଧାଙ୍କ ସହିତ ଆଫତାଭ ଅମିନର ସାକ୍ଷାତ ହୋଇଥିଲା। ଏହାପରେ ଦୁହେଁ ପରସ୍ପରକୁ ପସନ୍ଦ କରି ଥିଲେ ଓ ଲିଭ୍-ଇନ୍‌ରେ ରହିବାକୁ ଆରମ୍ଭ କରିଥିଲେ। ପରିବାର ଲୋକ ଏହା ଜାଣିବା ପରେ ତାକୁ ବିରୋଧ କରିଥିଲେ। ଶ୍ରଦ୍ଧା ଓ ଆଫତାଭ ହଠାତ ମୁମ୍ବାଇ ଛାଡି ଦେଇଥିଲେ। ଏହାପରେ ସେମାନେ ମହରୋଲିର ଛତରପୁର ଅଞ୍ଚଳରେ ରହିଥିଲେ।

ଏହା ଭିତରେ ଶ୍ରଦ୍ଧାଙ୍କ ଫୋନ୍ ନମ୍ବର ବନ୍ଦ ହୋଇଯାଇଥିଲା। ତାଙ୍କ ବାପା ଯେତେବେଳେ ୮ ନଭେମ୍ବରରେ ଛତରପୁର ସ୍ଥିତ ତାଙ୍କ ଫ୍ଲାଟକୁ ଯାଇଥିଲେ ତାଙ୍କ ଝିଅର ଘରେ ତାଲା ଲାଗିଥିଲା। ଏହାପରେ ସେ ମହରୋଲି ଥାନାରେ ଏଫଆଇଆର ଦେଇଥିଲେ। ଏହାପରେ ପୋଲିସ ଗତ ଶନିବାର ଆଫତାଭକୁ ଗିରଫ କରିଛି।

ଆଫତାଭ କହିଛି ଯେ, ବିବାହ କରିବାକୁ ନେଇ ଶ୍ରଦ୍ଧା ତାଙ୍କ ଉପରେ ଚାପ ପକାଉଥିଲେ। ଏହି କଥାକୁ ନେଇ ଝଗଡା ହେଉଥିଲା। ଗତ ୧୮ ମଇ​‌ରେ ଝଗଡା ବେଳେ ସେ ଶ୍ରଦ୍ଧାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ମୃତଦେହକୁ ଚାପଡରେ ଟୁକୁଡା ଟୁକଡା କରି କାଟି ଦିଲ୍ଲୀର ଭିନ୍ନ ଭିନ୍ନ ଅଞ୍ଚଳରେ ଫୋପାଡି ଦେଇଥିଲା। ପୋଲିସ ହତ୍ୟା ମାମଲା ରୁଜୁ କରି ଶ୍ରଦ୍ଧାଙ୍କ ମୃତଦେହର ଅଲଗା ଖଣ୍ଡ ଗୁଡିକୁ ଖୋଜୁଛି।

Related Posts