ଭୁବନେଶ୍ୱର,୬/୧(ସତ୍ୟପାଠ ବ୍ୟୁରୋ): ରାଜଧାନୀ ଦିଲ୍ଲୀର ବହୁଚର୍ଚ୍ଚିତ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ଦ୍ୱିତୀୟ ଚାର୍ଜସିଟ୍ ଦାଖଲ କରିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଦ୍ୱିତୀୟ ଚାର୍ଜସିଟରେ ଅଭିଯୁକ୍ତ ତାଲିକାରେ ୧୨ଟି ନାଁ ରଖିଛି। ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଇଡି ପୂର୍ବରୁ ଗିରଫ କରି ସାରିଥିବା ବେଳେ ୭ଟି କମ୍ପାନୀକୁ ଅଭିଯୁକ୍ତ ଭାବେ ଦର୍ଶାଇଛି। ତେବେ ପ୍ରଥମ ଚାର୍ଜସିଟ୍ ଭଳି ଇଡିର ଦ୍ୱିତୀୟ ଚାର୍ଜସିଟରେ ମଧ୍ୟ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁ ନାହିଁ। ଅବକାରୀ ନୀତି ପ୍ରଣୟନରେ ଦିଲ୍ଲୀର କ୍ଷମତାସୀନ ଆପ୍ ସରକାର ବ୍ୟାପକ ହେରଫେର କରିଥିବା ଅଭିଯୋଗ ଆସିବା ପରେ ଉଭୟ ସିବିଆଇ ଓ ଇଡି ଘଟଣାର ତଦନ୍ତ କରିଥିଲେ।
ଏହି ତଥାକଥିତ ଦୁର୍ନୀତି ଘଟଣାରେ ସିବିଆଇ ରୁଜୁ କରିଥିବା ଏଫଆଇଆରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୧ନଂ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ଉଭୟ ସିବିଆଇ ଓ ଇଡି ତାଙ୍କୁ ଜେରା କରିବା ସହ ତାଙ୍କ ଠିକଣାରେ ରେଡ୍ ମଧ୍ୟ କରିଥିଲେ। ହେଲେ ଇଡିର ଦୁଇଟି ଯାକ ଚାର୍ଜଶିଟରେ ତାଙ୍କ ନାଁ ହିଁ ନାହିଁ। ସିବିଆଇ ମଧ୍ୟ ପୂରା ମାମଲାରେ ପୂର୍ବରୁ ଗୋଟିଏ ଚାର୍ଜଶିଟ ଦାଖଲ କରିଥିଲେ। ସେଥିରେ ମଧ୍ୟ ସିସୋଦିଆଙ୍କ ନାଁ ନଥିଲା।
ଆଜି ଇଡି ଦାଖଲ କରିଥିବା ଚାର୍ଜସିଟରେ ବିଜୟ ନାୟର, ଶରତ ରେଡ୍ଡୀ, ବିନୟ ବାବୁ, ଅଭିଷେକ ବୋଇନପାଲ୍ଲୀ ଓ ଅମିତ ଅରୋରାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଏମାନେ ସମସ୍ତେ ଏବେ ଇଡି ହେପାଜତରେ ରହିଛନ୍ତି। ଏହାପୂର୍ବରୁ ଇଡି ଦାଖଲ କରିଥିବା ଚାର୍ଜଶିଟରେ ଇଣ୍ଡୋସ୍ପିରିଟ କମ୍ପାନୀର ମାଲିକ ସମୀର ମହେନ୍ଦ୍ରଙ୍କ ନାଁ ରହିଥିଲା। ମହେନ୍ଦ୍ର ହିଁ ବେଆଇନ ଭାବେ ଅବକାରୀ ନୀତି ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବା ଘଟଣାରେ ସାମିଲ ଥିବା ଇଡି ଦାବି କରିଛି।
ଦିଲ୍ଲୀର କ୍ଷମତାସୀନ ଆପ୍ ସରକାର ୨୦୨୧ରେ ନୂଆ ଅବକାରୀ ନୀତି ଲାଗୁ କରିଥିଲେ। ତେବେ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଆଶଙ୍କା କରି ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ସିବିଆଇ ତଦନ୍ତର ସୁପାରିସ କରିଥିଲେ। ଏହି ଘଟଣାରେ ୧୧ ଜଣ ଅବକାରୀ ଅଧିକାରୀଙ୍କୁ ମଧ୍ୟ ସେ ନିଲମ୍ବିତ କରିଥିଲେ।
ସିବିଆଇ ଏଫଆଇଆର ରୁଜୁ କରି ତଦନ୍ତ କରୁଥିବା ବେଳେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବୋଲି ସିବିଆଇ ଓ ଇଡି ସେମାନଙ୍କ ଏଫଆଇଆରରେ କହିଛନ୍ତି। କିନ୍ତୁ ଏଯାଏ ତାଙ୍କ ବିରୋଧରେ କୌଣସି ପ୍ରକାରର ପ୍ରମାଣ ମିଳିନାହିଁ।
୨୦୨୧ ନଭେମ୍ବର ୧୭ରେ ଆପ୍ ସରକାର ନୂଆ ଅବକାରୀ ନୀତି ଲାଗୁ କରିଥିଲେ। ହେଲେ ବିବାଦ ଯୋଗୁ ୨୦୨୨ ଜୁଲାଇ ମାସ ଶେଷ ଭାଗରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା।





