ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି; ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା କ୍ରିୟାନୁଷ୍ଠାନ କମିଟି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଘୋଷଣା କରିବା ପାଇଁ ଦାବି କରିଛନ୍ତି। ତେବେ ଏହି ଦାବି ନେଇ ଦୀର୍ଘ ଦିନ ହେବ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ ଜାରି ରଖିଛି।

ଗତ କିଛି ଦିନ ତଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଜେଡି ବିଧାୟକ ସୁଶାନ୍ତ ସିଂ କ୍ରିୟାନୁଷ୍ଠାନ କମିଟିକୁ ଭେଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନିମନ୍ତ୍ରଣ ଦେଇଥିଲେ। ସେହି ଅନୁରୋଧ କ୍ରମେ ଆଜି କମିଟିର ସଦସ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ପଦ୍ମପୁର ଉପ ନିର୍ବାଚନ ଥିବାରୁ ଜିଲ୍ଲା ମାନ୍ୟତା ଦାବି ଜୋର ଧରିଛି। ଜିଲ୍ଲା ଗଠନ ଦାବିକୁ ବିଜେଡି ପୂର୍ଵରୁ ସମର୍ଥନ ଜଣାଇଛି। ପରବର୍ତ୍ତୀ ସମୟରେ ଯେବେ ନୂଆ ଜିଲ୍ଲା ପାଇଁ କମିଟି ଗଠନ ହେବ ସେତେବେଳେ ପଦ୍ମପୁରର ଦାବିକୁ ପ୍ରାଥମିକତା ଦିଆଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଥିଲା । ବିଜେପି ମଧ୍ୟ ଏ ଦାବିକୁ ସମର୍ଥନ କରିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଭେଟି ଆଲୋଚନା କରିଥିଲେ।

ତେବେ ଆଗକୁ ପଦ୍ମପୁର ଉପନିର୍ବାଚନ ଥିବାବେଳେ ଏହି ସମୟରେ ଉପଖଣ୍ଡ ଜିଲ୍ଲା ମାନ୍ୟତା ଦାବି ପୁଣି ଜୋର୍ ଧରୁଛି। ଏହି ପ୍ରସଙ୍ଗ ଆଗାମୀ ନିର୍ବାଚନରେ ଏକ ବଡ଼ ଭୂମିକା ଗ୍ରହଣ କରିପାରେ ତେଣୁ ସମସ୍ତ ରାଜନୈତିକ ଦଳ ମାନେ ଏହି ଦାବିକୁ ସମର୍ଥନ ଜଣାଇଛନ୍ତି।

Related Posts