
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରୁଷ୍ ନିକ୍ଷେପ କରିଥିବା କ୍ଷେପଣାସ୍ତ୍ର ଆଡ଼କୁ ୟୁକ୍ରେନୀୟ ସୈନିକମାନେ ନିକ୍ଷେପ କରିଥିବା କ୍ଷେପଣାସ୍ତ୍ରଟି ପୋଲାଣ୍ଡ୍ରେ ପଡ଼ି ବିସ୍ଫୋରଣ ଘଟିଥିବା କଥା ଆମେରିକୀୟ ସରକାରୀମାନେ ସମ୍ବାଦ ସରବରାହ ସଂସ୍ଥାନ ‘ଏପି’କୁ କହିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ୩ଜଣ ସରକାରୀ ଅଧିକାରୀ ସମ୍ବାଦ ସରବରାହ ସଂସ୍ଥାନ ‘ଏପି’କୁ କହିଛନ୍ତି ଯେ, ପ୍ରାଥମିକ ଅନୁସନ୍ଧାନ ସୂଚାଉଛି କି ପୋଲାଣ୍ଡ୍ରେ ପଡ଼ିଥିବା କ୍ଷେପଣାସ୍ତ୍ରଟିକୁ ୟୁକ୍ରେନୀୟ ସେନା ଏକ ରୁଷୀୟ କ୍ଷେପଣାସ୍ତ୍ର ଆଡ଼କୁ ନିକ୍ଷେପ କରିଥିଲେ।
ତେବେ ପୂର୍ବରୁ ଜଣେ ଉଚ୍ଚପଦସ୍ଥ ଆମେରିକୀୟ ଗୁଇନ୍ଦା ଅଧିକାରୀ ସମ୍ବାଦ ସରବରାହ ସଂସ୍ଥାନ ‘ଏପି’କୁ କହିଥିଲେ ଯେ, ରୁଷୀୟ କ୍ଷେପଣାସ୍ତ୍ର ପୋଲାଣ୍ଡ୍ରେ ପଡ଼ିଛି। ରୁଷୀୟ ନିର୍ମିତ କ୍ଷେପଣାସ୍ତ୍ର ମାଡ଼ରେ ପୋଲାଣ୍ଡ୍ରେ ମାରାତ୍ମକ ବିସ୍ଫୋରଣ ଘଟିଥିବା କଥା ୟୁକ୍ରେନ୍ ଓ ପୋଲାଣ୍ଡ୍ର କର୍ତ୍ତୃପକ୍ଷମାନେ କହିବାରୁ ଆଜି ଆମେରିକାର ରାଷ୍ଟ୍ରପତି ବାଇଡେନ୍ ଇଣ୍ଡୋନେସିଆର ବାଲିରେ ‘ଜି୨୦’ ଶିଖର ସମ୍ମଳନୀରେ ଏକତ୍ର ବିଶ୍ବନେତାମାନଙ୍କର ଜରୁରୀ ବୈଠକ ଡକାଇଥିଲେ।
ରୁଷ୍ ଉକ୍ତ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ବୋଲି ପଚରାଯିବାରୁ ବାଇଡେନ୍ କହିଥିଲେ ଯେ, ପ୍ରାଥମିକ ସୂଚନା ଏହାର ବିରୋଧାଭାସ କରୁଛି। ତଦନ୍ତ ଶେଷ ନ କରିବା ପର୍ଯ୍ୟନ୍ତ ମୁଁ ସେ କଥା କହିବି ନାହିଁ। କିନ୍ତୁ, ରୁଷ୍ରୁ ଏହା ନିକ୍ଷେପ ହୋଇଥିବା ପରି ମନେହେଉନାହିଁ, ତଥାପି ଦେଖିବା। କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବରୁ ଆମେରିକା ଓ ‘ନାଟୋ’ ରାଷ୍ଟ୍ରମାନେ ପୂଙ୍ଖାନୁପୁଙ୍ଖ ତଦନ୍ତ କରିବେ।
ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ରାତିରେ ରୁଷ୍ ନିର୍ମିତ କ୍ଷେପଣାସ୍ତ୍ର ପୋଲାଣ୍ଡ୍ର ପୂର୍ବ ପ୍ରାନ୍ତ ଅନ୍ତର୍ଗତ ପ୍ରିଜେୱଡୋ ଗ୍ରାମରେ ପଡ଼ିବା ଯୋଗୁଁ ବିସ୍ଫୋରଣ ଘଟି ୨ଜଣ ପ୍ରାଣ ହରାଇଥିବା ରିପୋର୍ଟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏଥିପାଇଁ ପୋଲାଣ୍ଡ୍ ତା’ର ସେନାବାହିନୀକୁ ସଜାଗ ରହିବାକୁ ନିର୍ଦେଶ ଦେଇଥିଲା।