
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ। ଗତକାଲି ରାଜ୍ୟପାଳ ଜଗଦୀପ ଧନଖଡ ହିଂସା ପ୍ରଭାବିତ କଚ୍ଛ ବିହାର ଜିଲ୍ଲା ଗସ୍ତରେ ଯାଇଥିଲେ। ତେବେ ରାଜ୍ୟପାଳଙ୍କୁ ଏକାଧିକ ସ୍ଥାନରେ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ସ୍ଥାନୀୟ ଲୋକେ ବିରୋଧ କରି ତାଙ୍କ କନଭେ କୁ କଳା ପତାକା ଦେଖାଇ ବିରୋଧ କରିବା ସହ , “ଗୋ ବ୍ୟାକ୍ ” ସ୍ଲୋଗାନ ଦେଇଥିଲେ । ସୀତାଲୁଚି ମୃତ୍ୟୁକୁ ନେଇ ରାଜ୍ୟପାଳ କାହିଁକି ଚୁପ୍ ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏପ୍ରିଲ 10 ରେ ମତଦାନ ସମୟରେ ସିଆଇଏସଏଫ ଯବାନଙ୍କ ଗୁଳିରେ ସୀତାଲୁଚିର ଚାରିଜଣ ଯୁବକଙ୍କ ମୃତ୍ୟୁ ହୋଇଥିଲା। ତେବେ ଏହି ୪ ମୃତକଙ୍କ ପରିବାରକୁ ଧନଖଡ ସାକ୍ଷାତ କରିନଥିଲେ। ସେହିପରି ଅନ୍ୟ ଏକ ପୋଲ ବୁଥରେ ହିଂସାରେ ମୃତ ଆନନ୍ଦ ବାର୍ମନଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଭେଟି ନଥିଲେ। ବରିଷ୍ଠ ତୃଣମୂଳ ନେତା ସ୍ବଗତ ରୟ କହିଛନ୍ତି, “ରାଜ୍ୟପାଳ ତାଙ୍କର ସୀମା ଉଲଙ୍ଘନ କରିଛନ୍ତି। ଏହି ଗସ୍ତ ବିଜେପି ଦ୍ବାରା ପ୍ରାୟୋଜିତ। ” ମଥାଭଙ୍ଗା ଏବଂ ସୀତାଲୁଚି ଠାରେ ରାଜ୍ୟପାଳ ଧନଖଡ ବିଜେପି ସମର୍ଥକଙ୍କ ଘରକୁ ଯାଇଥିଲେ। ଯେଉଁଠାରେ ତୃଣମୂଳ କଂଗ୍ରେସ କର୍ମୀଙ୍କ ଦ୍ୱାରା ତାଙ୍କର ସମ୍ପତ୍ତି ଲୁଟି ନେଇଥିବାର ଅଭିଯୋଗ ହୋଇଥିଲା। କୁଚ୍ଛବିହାର ଟିଏମସି ପାର୍ଥା ପ୍ରତୀମ ରୟ କହିଛନ୍ତି: “ରାଜ୍ୟପାଳଙ୍କ ବିଜେପି ସମର୍ଥକଙ୍କ ଘର ପରିଦର୍ଶନ କରିବାରେ ଆମର କୌଣସି ଅସୁବିଧା ନାହିଁ, କିନ୍ତୁ ସେ ସୀତାଲୁଚିରେ ହିଂସାରେ ପ୍ରଭାବିତ ତୃଣମୂଳ ସମର୍ଥକ ଏବଂ ପରିବାରଙ୍କୁ ଭେଟିବା ଉଚିତ୍। ସେ ପକ୍ଷପାତିତା କରି ସମ୍ବିଧାନର ଉଲ୍ଲଂଘନ କରିଛନ୍ତି । ”ଅନ୍ୟ ପକ୍ଷରେ ଧନଖଡ ସାମ୍ବାଦିକମାନଙ୍କୁ କହିଛନ୍ତି: “ମୁଁ ଏକ ସାମ୍ବିଧାନିକ ପଦର ପ୍ରତିନିଧିତ୍ୱ କରୁଛି ଏବଂ ମୋତେ କେହି ସାମ୍ବିଧାନିକ ବ୍ୟବସ୍ଥା ବିରୁଦ୍ଧରେ କାର୍ଯ୍ୟ କରିବା ବାଧ୍ୟ କରିପାରିବେ ନାହିଁ। କିନ୍ତୁ ନିର୍ବାଚନ ସମୟରେ ଏବଂ ପରେ ହିଂସା ସୃଷ୍ଟି କରିବା ପାଇଁ ଉତ୍ତେଜନାମୂଳକ ମନ୍ତବ୍ୟ ଦିଆଯାଇଥିଲା। ” ରାଜ୍ୟପାଳଙ୍କ କନଭେ କୁଚ୍ଛବିହାରରୁ ସୀତାଲୁଚି ଏବଂ ମଥାଭଙ୍ଗା ଅଭିମୁଖେ ଯାଉଥିବାବେଳେ ଗୋଲୋକଗଞ୍ଜ ଅଞ୍ଚଳ ନିକଟରେ କିଛି ଲୋକ କଳା ପତାକା ଧରି “ଗୋ ବ୍ୟାକ୍ ” ନାରା ଦେଇଥିଲେ। ଦୀନହାଟାରେ ତାଙ୍କୁ ମଧ୍ୟ ସମାନ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ଗସ୍ତ ସମୟରେ ଧାନଖଡଙ୍କ ସହ ବିଜେପି ସାଂସଦ ନିସିତ ପ୍ରାମାଣିକ ଏବଂ ବହୁ ବିଜେପି ବିଧାୟକ ଯୋଗ ଦେଇଥିଲେ। ବୁଧବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧନଖଡଙ୍କୁ ଏକ ପତ୍ର ଲେଖି କହିଛନ୍ତି ଯେ ସେ ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ନିୟମର ଉଲ୍ଲଘଂନ । କିଛି ଅମଲାତନ୍ତ୍ର ମଧ୍ୟ ପ୍ରଶ୍ନ କରିଥିଲେ ଯେ ଶାନ୍ତ ଥିବା ଜିଲ୍ଲା ପରିଦର୍ଶନ କରିବା ପାଇଁ ଧନଖଡ କାହିଁକି ବିଏସଏଫ ଚପର ବ୍ୟବହାର କରୁଛନ୍ତି?