ମୋହନା : ଗଜପତି ଜିଲ୍ଲା ମୋହନାରେ ବ୍ୟାପିଛି ଡେଙ୍ଗୁ ଆତଙ୍କl ଗତ କିଛି ଦିନ ହେଲା ମୋହନlର କିଛି ଲୋକ ଆକ୍ରାନ୍ତ ହେବା ନେଇ ଖବର ଆସିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ରବିବାର ଓ ସୋମବାର ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବା ସହ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି l

ଭୁବନେଶ୍ୱର ହାଇଟେକ ମେଡ଼ିକାଲରୁ ଟିମ ରକ୍ତ ନମୁନା ସଂଗ୍ରହ କରିଥିଲେ। ପରୀକ୍ଷା ପରେ ୩୧ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି ବୋଲି ମୋହନା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ନମିତା ପଣ୍ଡା କହିଛନ୍ତି l

ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସୂଚନା ଅନୁସାରେ, ଗତ କିଛି ଦିନ ଭିତରେ ପ୍ରାୟ ୧୨ ରୁ ୧୫ କଣ ଜ୍ବରରେ ଆକ୍ରାନ୍ତ ହୋଇ ମୋହନା ମେଡ଼ିକାଲ ଆସିଥିଲେl ସେମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପରେ ମୋହନାରେ ଡେଙ୍ଗୁ ବ୍ୟାପିବା ନେଇ ଲୋକଙ୍କ ମନରେ ଆଶଙ୍କା ଦେଖାଦେଇଥିଲା l ଡେଙ୍ଗୁ ରୋଗୀ ଚିହ୍ନଟ ପାଇଁ ମୋହନାରେ କୌଣସି ବ୍ୟବସ୍ଥା ନଥିବାରୁ ରବିବାର ୩ ଜଣଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା l

ଆଜି ହାଇଟେକ୍ ମେଡିକାଲର ଟିମ୍ ପହଞ୍ଚି ମୋହନା ଖ୍ରୀଷ୍ଟିଆନ ସାହିର ୧୩୮ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରିଥିଲେl ଏଥିରେ ୩୧ ଜଣଙ୍କ ଡେଙ୍ଗୁ ପଜିଟିଭ ଥିବା ଜଣାପଡ଼ିଛି l ଅନ୍ୟ ପକ୍ଷରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ମୋହନା ବିଡ଼ିଓ ମୋହାନlର ବିଭିନ୍ନ ସାହି ବୁଲି ଅନୁଧ୍ୟାନ କରିବା ସହ ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି।