ବିରୋଧୀଙ୍କୁ ଏକଜୁଟ୍‌ କରିବା ଲକ୍ଷ୍ୟରେ ନୀତିଶ କୁମାର, ଦିଲ୍ଲୀରେ ରାହୁଲଙ୍କୁ ଭେଟି ୫୦ ମିନିଟ ଧରି କଲେ ଆଲୋଚନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୨୪ ଲୋକସଭା ନିର୍ବାଚନ ପାଇଁ ସବୁ ବିରୋଧୀ ଦଳଙ୍କୁ ଏକଜୁଟ୍‌ କରିବା ଲକ୍ଷ୍ୟ ରଖିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏଥିପାଇଁ ନିଜର ଅଭିଯାନ ଆରମ୍ଭ କରି ସେ ୩ ଦିନିଆ ଦିଲ୍ଲୀ ଗସ୍ତରେ ବାହାରିଛନ୍ତି। ସୋମବାର ଅପରାହ୍ନରେ ନୀତିଶ ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଥମେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତକାର ପ୍ରାୟ ୫୦ ମିନିଟ ଧରି ଚାଲିଥିଲା। ବିହାରରେ କଂଗ୍ରେସ ସମର୍ଥିତ ମେଣ୍ଟ ସରକାର ଗଠନ ହେବା ପରେ ନୀତୀଶ ଏବଂ ରାହୁଲଙ୍କ ଏହା ପ୍ରଥମ ବୈଠକ।

ଉଭୟ ନେତା ଦେଶରେ ବର୍ତ୍ତମାନର ରାଜନୈତିକ ସ୍ଥିତି ଏବଂ ବିରୋଧୀ ଏକତାକୁ ନେଇ ଆଲୋଚନା କରିଥିବା‌ ଜଣାପଡ଼ିଛି। ନୀତୀଶ ଦିଲ୍ଲୀ ଗସ୍ତ ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସପା ମୁଖ୍ୟ ଅଖିଳେଶ ଯାଦବ, ଏନ୍‌ସିପି ମୁଖ୍ୟ ଶରଦ ପାୱାର, ଏବଂ ବାମ ଦଳ ନେତା ଡି ରାଜା, ସୀତାରାମ ୟେଚୁରୀ ଏବଂ ଅନ୍ୟମାନଙ୍କୁ ଭେଟିବେ ବୋଲି ସୂଚନା ମିଳିଛି। ଏହି ଗସ୍ତ ଅବସରରେ ବୁଧବାର ଦିନ ନୀତୀଶ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିବେ।

ଏହାପରେ ନୀତୀଶ ଖୁବ୍‌ଶୀଘ୍ର ମହାରାଷ୍ଟ୍ର, ହରିୟାଣା ଏବଂ କର୍ଣ୍ଣାଟକ ଗସ୍ତ କରି ବିରୋଧୀ ଶିବିରର ନେତାଙ୍କୁ ମଧ୍ୟ ଭେଟିବେ। ଏହି କ୍ରମରେ ସେ ହରିୟାଣାରେ ଓମ୍‌ ପ୍ରକାଶ ଚୌତାଲା ଏବଂ ଭୁପିନ୍ଦର ସିଂହ ହୁଦା, ମହାରାଷ୍ଟ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ଶରଦ ପାୱାର, କର୍ଣ୍ଣାଟକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀଙ୍କୁ ‌ଭେଟିବେ। ନୀତୀଶ ଆଜି ଦିଲ୍ଲୀ ଆସିବା ପୂର୍ବରୁ ପ୍ରଥମେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ।

Related Posts