ସମ୍ବଲପୁର: ବ୍ୟାଙ୍କରେ କୌଣସି ଲୋନ୍ ନାହିଁ ତଥାପି ଘର ସିଲ କଲା ପ୍ରଶାସନ। ସମ୍ବଲପୁର ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଋଣ ଖିଲାପ ଅଭିଯୋଗରେ ଜଣେ ଦିବ୍ୟାଙ୍ଗ ବୃଦ୍ଧଙ୍କ ଘର ପ୍ରଶାସନ ଦ୍ୱାରା ସିଲ୍ କରାଯାଇଛି। ଯଦିଓ ପରିବାର କହୁଛନ୍ତି ସେମାନେ କୌଣସି ବ୍ୟାଙ୍କ ଲୋନ୍ କରିନାହାନ୍ତି। ଫଳରେ ଏହି ଅସହାୟ ପରିବାର ଗୋଟିଏ ଛୋଟ ରୁମରେ ଜୀବନ କାଟୁଛନ୍ତି। ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଗୌତମପାଲି ଗାଁର ଧନଞ୍ଜୟ ପ୍ରଧାନ ନାମକ ଜଣେ ବୟସ୍କ ଦିବ୍ୟାଙ୍ଗ, ବ୍ୟାଙ୍କ ଲୋନ୍ କରି ନ ଥିବା ସତ୍ତ୍ବେ ଜୁଲୁମର ଶିକାର ହୋଇଛନ୍ତି। ଗତ ୫ ତାରିଖ ଦିନ ଜମନକିରା ତହସିଲଦାର ଓ ଏକ ଘରୋଇ ବ୍ୟାଙ୍କଙ୍କ ଉପସ୍ଥିତିରେ ତାଙ୍କ ଘରକୁ ସିଲ୍ କରି ଗୋଟିଏ ମାତ୍ର ଛୋଟ ରୁମ ରହିବା ପାଇଁ ଛାଡ଼ି ଦେଇଛନ୍ତି। ବ୍ୟାଙ୍କରେ ସେ କୌଣସି ଲୋନ୍ କରି ନଥିବା କହୁଥିବା ସତ୍ତ୍ବେ ଘର ସିଲ କରାଯାଇଥିବାରୁ ଗୋଟିଏ କୋଠରୀରେ ଦିନ କାଟୁଛନ୍ତି ବୃଦ୍ଧ ଦିବ୍ୟାଙ୍ଗ ପରିବାର। ଆଜକୁ ପ୍ରାୟ ୨୦ ଦିନ ହେଲା ଅସହାୟ ଅବସ୍ଥାରେ ରହିଛନ୍ତି ଏହି ପରିବାର। ତେବେ ଏହାର ତଦନ୍ତ କରାଯିବାକୁ ଦାବି କରାଯାଉଛି।
