ପରିବାରର ବିରୋଧ ସତ୍ତ୍ଵେ ଜାମନଗର ଉତ୍ତର ଆସନରୁ ବଡ ବ୍ୟବଧାନରେ ଜିତିଲେ ଜାଡେଜାଙ୍କ ପତ୍ନୀ ରିବାବା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜା ଭାରତୀୟ ଜନତା ପାର୍ଟିର ଜାମନଗର ଉତ୍ତର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ। ପରିବାରର ବିରୋଧ ସତ୍ତ୍ବେ ଏହି ଆସନରେ ବିଜୟ ହାସଲ କରିଛନ୍ତି ଜାଡେଜାଙ୍କ ପତ୍ନୀ। ଘରର ବୋହୂ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ବି ଶଶୁର ଏବଂ ନଣନ୍ଦ ତାଙ୍କ ବିପକ୍ଷରେ କଂଗ୍ରେସ ଦଳ ପାଇଁ ପ୍ରଚାର କରୁଥିବା ଦେଖାଯାଇଥିଲା।ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ଜାଡେଜା ପରିବାରରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ତେବେ ପରିବାରର ସମର୍ଥନ ନପାଇ ବି ଜିତିଛନ୍ତି ରିବାବା।

ରାଜନୀତିରେ କୌଣସି ଅଭିଜ୍ଞତା ନଥାଇ ବି ସେ ଆପ୍ ପ୍ରାର୍ଥୀ କରଶନଭାଇ କରମୁରଙ୍କୁ ହରାଇଛନ୍ତି। ପ୍ରାୟ ୫୦,୦୦୦ଭୋଟ ବ୍ୟବଧାନରେ ରିବାବା ବିଜୟୀ ହୋଇଥିବା ଜଣାପଡ଼ିଛି। ୧୯୯୦ରେ ରାଜକୋଟରେ ଜନ୍ମଗ୍ରହଣ କରିଥିବା ରିବାବା ତିନି ବର୍ଷ ପୂର୍ବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରିବାବା ଏବଂ ରବିନ୍ଦ୍ର ଜାଡେଜାଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବିଜେପିରେ ଯୋଗଦେବା ପରେ ରିବାବା ଜାମନଗର ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀରେ ସକ୍ରିୟ ରହିଥିଲେ ଏବଂ ଏହି ଅଞ୍ଚଳରେ ମହିଳାଙ୍କ ସଶକ୍ତିକରଣ ପାଇଁ କାମ କରୁଥିଲେ।

ତେବେ ରବିନ୍ଦ୍ର ଜାଡେଜାଙ୍କ ପରିବାର ବରିଷ୍ଠ କଂଗ୍ରେସ ନେତା ହରି ସିଂ ସୋଲାଙ୍କିଙ୍କ ସମ୍ପର୍କୀୟ ହୋଇଥିବା ବେଳେ କଂଗ୍ରେସର ବଡ଼ ସମର୍ଥକ। ଏମଧ୍ୟରେ ରିବାବା ବିଜେପିକୁ ସମର୍ଥନ କରି ପ୍ରାର୍ଥୀ ହେବା ପରେ ଏହାକୁ ପସନ୍ଦ କରିନଥିଲେ ଶଶୁର। କିଛି ଦିନ ତଳେ ଏକ ଭିଡିଓ ଜାରି କରି ରିବାବାଙ୍କ ଶଶୁର ବୋହୂଙ୍କ ବଦଳରେ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କହିଥିଲେ। ମାତ୍ର ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଛନ୍ତି।

Related Posts