କଟକଣା ସତ୍ତ୍ୱେ ଦିଲ୍ଲୀରେ ଫୁଟିଲା ବାଣ, ବିଗିଡ଼ିଲା ବାୟୁ ପ୍ରଦୂଷଣର ସ୍ଥିତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀ ଦିଲ୍ଲୀରେ ବାଣ ଫୁଟାଇବା ଉପରେ ସରକାର କଟକଣା ଲାଗାଇଥିବା ସତ୍ତ୍ୱେ ଲୋକେ ତାହାକୁ ଅମାନ୍ୟ କରିଛନ୍ତି। ଲୋକେ ପ୍ରତିବନ୍ଧକକୁ ନମାନି ଖୁବ୍‌ ଜୋର ଶବ୍ଦ କରୁଥିବା ବାଣ ସବୁ ଫୁଟାଇଛନ୍ତି। ଏହାଫଳରେ ଦିଲ୍ଲୀରେ ଶବ୍ଦ ପ୍ରଦୂଷଣ ହେବା ସହ ବାୟୁ ପ୍ରଦୂଷଣ ହୋଇ ପରିବେଶ ଖୁବ୍ ଜୋର୍‌ରେ ପ୍ରଦୂଷିତ ହୋଇଛି।

ତେବେ ଦିଲ୍ଳୀର ପରିବେଶ ମନ୍ତ୍ରୀ ଗୋପାଳ ରାୟଙ୍କ ସୂଚନା ଅନୁସାରେ, ଦୀପାବଳିରେ ବାଣ ଫୁଟାଇଲେ ୬ ମାସ ଜେଲ୍‌ରେ ରହିବା ସହ ୨୦୦ ଟଙ୍କା ଜରିମାନା ଦେବାକୁ ହେବ। ମାତ୍ର ଏହି କଥାକୁ କେହି ବି ଖାତିର କରିନଥିବା ଦେଖାଯାଇଛି। ଗତକାଲି ଦୀପାବଳୀ ଅବସରରେ ରାତି ବଢ଼ିବା ସଙ୍ଗେ ସଙ୍ଗେ ବାଣ ଶବ୍ଦ ମଧ୍ୟ ତୀବ୍ର ହୋଇ ଚାଲିଥିଲା। ସହରରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲାଗିବା ସତ୍ତ୍ବେ ବି ସଂଧ୍ୟା ହେବା କ୍ଷଣି ଦକ୍ଷିଣ ଦିଲ୍ଳୀରୁ ନେଇ ଉତ୍ତର-ପୂର୍ବ ଏବଂ ପଶ୍ଚିମ ଦିଲ୍ଲୀ ସମେତ ସହରର ବିଭିନ୍ନ ଅଞ୍ଚଳରେ ଲୋକେ ବାଣ ଫୁଟାଇବା ଆରମ୍ଭ କରି ଦେଇଥିଲେ।

ସୋମବାର ଦେଶର ବିଭିନ୍ନ ସ୍ଥାନରେ ଦୀପାବଳି ପାଳନ ହୋଇଥିବା ବେଳେ ଏହି ଦିନ ବାଣ ଫୁଟାଇବାର ନିୟମ ରହିଥିବାରୁ ବିଭିନ୍ନ ଅଞ୍ଚଳରେ ଜୋର୍‌ଦାର ବାଣ ଫୁଟିଥିଲା। ମାତ୍ର ଦିଲ୍ଲୀର ପ୍ରଦୂଷଣ ସବୁଠାରୁ ଅଧିକ ଥିବାରୁ ପରିବଶେ ଓ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ବାଣ ଉପରେ ପ୍ରତିବନ୍ଧକ ଲାଗିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ଏହାକୁ ଅମାନ୍ୟ କରି ଲୋକେ ବାଣ ଫୁଟାଇଥିଲେ। ଫଳରେ ଆଜି ବାୟୁ ପ୍ରଦୂଷଣର ମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇଛି। ଦିଲ୍ଲୀରେ ଗତକାଲି ବାଣ ଫୁଟିବା ପରେ ଆଜି ସହରର ବାୟୁ ଗୁଣବତ୍ତା ସୂଚକାଂକ (ଏକ୍ୟୁଆଇ) ୩୧୨ରେ ପହଞ୍ଚିଛି।

Related Posts