କ୍ୟାବିନେଟ୍ ସମ୍ପ୍ରସାରଣ ନେଇ ଅଜିତ ପୱରଙ୍କୁ ଦେବେନ୍ଦ୍ର ଫଡ୍‌ନଭୀସଙ୍କ ଜବାବ; “ଅଜିତ ଦାଦା ସବୁକିଛି ସହଜରେ ଭୁଲିଯାଆନ୍ତି”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନଭୀସ ରବିବାର ଦିନ ମହାରାଷ୍ଟ୍ର ସରକାରର କ୍ୟାବିନେଟର ସମ୍ପ୍ରସାରଣ ଘୋଷଣାକୁ ଦୋହରାଇଛନ୍ତି। ତେବେ ସେ ଏଥିପାଇଁ କୌଣସି ତାରିଖ ଘୋଷଣା କରିନାହାନ୍ତି। ରବିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ କହିଛନ୍ତି ଯେ ଶୀଘ୍ର ରାଜ୍ୟରେ କ୍ୟାବିନେଟ୍ ସମ୍ପ୍ରସାରଣ ହେବ। ଫଡ୍‌ନଭୀସ କ୍ୟାବିନେଟ ବିସ୍ତାରରେ ବିଳମ୍ବ ହେବା ନେଇ ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାର କରିଥିବା ଅଭିଯୋଗକୁ କଡ଼ା ଜବାବ ଦେଇଛନ୍ତି।ସେ କହିଛନ୍ତି, ଅଜିତ ପାଓ୍ବାର ବିରୋଧୀ ଦଳର ନେତା। ତାଙ୍କୁ ଏସବୁ କଥା କହିବାକୁ ପଡିବ। ଅଜିତ ଦାଦା ସବୁକିଛି ସହଜରେ ଭୁଲିଯାଆନ୍ତି। ଯେତେବେଳେ ସେ ସରକାରରେ ଥିଲେ, ପ୍ରଥମ ୩୨ ଦିନ ପାଇଁ କେବଳ ପାଞ୍ଚଜଣ ମନ୍ତ୍ରୀ ଥିଲେ। ଉଦ୍ଧବ ସରକାରଙ୍କ ପ୍ରଥମ ଏକ ମାସରେ ଅଜିତ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ଅଜିତ ପାୱାର ନିକଟରେ କହିଥିଲେ, ମହାରାଷ୍ଟ୍ରରେ କ୍ୟାବିନେଟ ସମ୍ପ୍ରସାରଣରେ ବିଳମ୍ବ ହେଉଛି, କାରଣ ଶିନ୍ଦେ-ଫଡନଭୀସ ଯୋଡି ଦିଲ୍ଲୀରୁ ସବୁଜ ସଙ୍କେତ ପାଇନାହାଁନ୍ତି। ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଏବଂ ଆଇନ ଶୃଙ୍ଖଳା ରକ୍ଷା ପାଇଁ ମନ୍ତ୍ରୀ ନିଯୁକ୍ତ କରିବାକୁ ଆମେ କ୍ରମାଗତ ଭାବରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରୁଛୁ। ପ୍ରବଳ ବର୍ଷା ଓ ରାଜ୍ୟରେ ଚାଷୀଙ୍କ ସମସ୍ୟା ମଧ୍ୟ ମୁଣ୍ଡ ଟେକିଛି। କିନ୍ତୁ ଯେପର୍ଯ୍ୟନ୍ତ ଦିଲ୍ଲୀରୁ ସବୁଜ ସଙ୍କେତ ମିଳୁନାହିଁ, ସେପର୍ଯ୍ୟନ୍ତ ସରକାରରେ କ୍ୟାବିନେଟ ବିସ୍ତାର ହେବ ନାହିଁ। ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ଶେଷ ହେବା ପରେ ହିଁ କ୍ୟାବିନେଟର ସମ୍ପ୍ରସାରଣ ହେବ ବୋଲି ସେ କହିଥିଲେ।

Related Posts