ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଛତ୍ରପତି ଶିବାଜୀ ମହାରାଜଙ୍କ ଉପରେ ବୟାନ ଦେଇ ଅପମାନିତ କରିବା ଘଟଣାରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରି ବିବାଦରେ ରହିଛନ୍ତି। ବିଭିନ୍ନ ମହଲରେ ତାଙ୍କୁ ବିରୋଧ କରାଯାଉଛି। ଏପରି ସ୍ଥିତିରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତାଙ୍କ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ ଖୋଲା‌ଖୋଲି ଭାବେ ରାଜ୍ୟପାଳ କୋଶୟାରିଙ୍କ ସମର୍ଥନରେ ବାହାରିଛନ୍ତି।

ତେବେ ରାଜ୍ୟପାଳଙ୍କୁ ଅମୃତାଙ୍କ ସମର୍ଥନ ଏବେ ରାଜ୍ୟରେ କ୍ଷମତାସୀନ ବିଜେପି ଓ ଏକନାଥ ସିନ୍ଦେଙ୍କ ଶିବସେନା ମଧ୍ୟରେ ଫାଟ ସୃଷ୍ଟି କରିପାରେ ବୋଲି କୁହାଯାଉଛି। କାରଣ ଏକନାଥ ସିନ୍ଦେଙ୍କ ଶିବସେନା ମଧ୍ୟ ରାଜ୍ୟପାଳ କୋଶୟାରିଙ୍କ ‘ଶିବାଜୀ ବୟାନ’କୁ ବିରୋଧ କରିଛି।

ସୂଚନା ଅନୁସାରେ, ଆଜି ସାମ୍ବାଦିକମାନେ ଅମୃତାଙ୍କୁ ଉକ୍ତ ବିବାଦ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏହାର ଜବାବରେ ସେ କହିଛନ୍ତି ଯେ, “ମୁଁ ରାଜ୍ୟପାଳଙ୍କୁ ବ୍ୟକ୍ତିଗତ ଭାବେ ଜାଣିଛି। ସେ ମହାରାଷ୍ଟ୍ରକୁ ଆସିବା ପରେ ମରାଠୀ ଶିଖିଛନ୍ତି। ସେ ମରାଠୀ ଲୋକଙ୍କୁ ବହୁତ ଭଲ ପାଆନ୍ତି। ଏହାକୁ ମୁଁ ନିଜେ ଅନୁଭବ କରିଛି। କିନ୍ତୁ ଅନେକ ସମୟରେ ସେ କ’ଣ କହୁଛନ୍ତି ବୋଲି ଅଭିଯୋଗ କରି ଅନେକ କିଛି ଘଟୁଛି। ତାଙ୍କ ବୟାନକୁ ଭିନ୍ନ ଭାବେ ଉପସ୍ଥାପନ କରି ବିବାଦ ସୃଷ୍ଟି କରାଯାଉଛି। ହେଲେ ସେ ହୃଦୟରୁ ଜଣେ ମରାଠା ମନୁଷ। ତାଙ୍କ ବୟାନକୁ ନେଇ କୌଣସି ବିବାଦ ହେବା କଥା ନୁହେଁ।”

ସୂଚନାଯୋଗ୍ୟ ଯେ, ଗତ ଶନିବାର ଗଡ଼କରୀ ଓ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଡକ୍ଟରେଟ ଉପାଧିରେ ଭୂଷିତ କରିବାକୁ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ କୋଶୟାରି ଯୋଗଦେଇଥିଲେ। ଏହି ସମୟରେ ସେ କହିଥିଲେ ଯେ, “ପୂର୍ବରୁ ଆମକୁ ଯେତେବେଳେ ତୁମର ଆଦର୍ଶ କିଏ ବୋଲି ପଚରା ଯାଉଥିଲା ସେତେବେଳେ ଉତ୍ତର ରହୁଥିଲା ଜବାହାର ଲାଲ ନେହରୁ, ସୁଭାଷ ଚନ୍ଦ୍ର ବୋଷ ଓ ମହାତ୍ମା ଗାନ୍ଧି। ମହାରାଷ୍ଟ୍ରରେ ଆମକୁ କେଉଁ ଆଡ଼େ ଚାହିଁବା ଦରକାର ନାହିଁ। କାରଣ ଏଠାରେ ଅନେକ ପ୍ରଖ୍ୟାତ ବ୍ୟକ୍ତିବିଶେଷ ଅଛନ୍ତି। ଛତ୍ରପତି ଶିବାଜୀ ମହାରାଜ ପୁରୁଣା ସମୟର ଆଦର୍ଶ ରହିଥିବା ବେଳେ ବର୍ତ୍ତମାନ ସମୟରେ ବିଆର ଆମ୍ବେଦକର ଓ ଗଡ଼କରୀଙ୍କ ଭଳି ଆଦର୍ଶ ଆମ ପାଖରେ ରହିଛନ୍ତି।”

ତେବେ ଗଡ଼କରୀଙ୍କୁ ରାଜ୍ୟପାଳଙ୍କ ଏପରି ପ୍ରଶଂସା ତାଙ୍କ ଦଳ ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଗତ ୫ ମାସ ତଳେ ବିଜେପି ସହ ହାତ ମିଳାଥିବା ଶିବସେନାର ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟ ରାଜ୍ୟପାଳଙ୍କ ଏହି ବୟାନକୁ ବିରୋଧ କରିଛନ୍ତି। ଉଦ୍ଧବ ଠାକରେଙ୍କ ଶିବସେନା ଓ ଏନସିପି ମଧ୍ୟ ଏପରି ବୟାନକୁ ନିନ୍ଦା କରିଛନ୍ତି। ଶିବାଜୀଙ୍କୁ ବିଜେପି ନେତାଙ୍କ ସହ ତୁଳନା କରି ରାଜ୍ୟପାଳ ମହାରାଷ୍ଟ୍ରକୁ ଅପମାନିତ କରିଥିବା ସେମାନେ ଅଭିଯୋଗ କରିଛନ୍ତି।