ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ନଭେମ୍ବର ମାସ ୨ ତାରିଖ କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥି ତଥା ପବିତ୍ର ଅଁଳା ନବମୀ । ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କର ପାଦ ଦର୍ଶନ ଅନୁଷ୍ଠିତ ହେବ । ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ଶ୍ରୀରାଧା । ତେବେ ଏ ବର୍ଷ ମଧ୍ୟ ଭକ୍ତମାନେ ରାଧାଙ୍କ ପାଦ ଛୁଇଁପାରିବେନି ଭକ୍ତ । କରୋନା କଟକଣା କୋହଳ ପରେ ଦୁଇ ବର୍ଷ ଭକ୍ତଙ୍କୁ ଦର୍ଶନ ଦେବେ ରାଧାରାଣୀ । ସେଥିପାଇଁ ରାଧାରାଣୀଙ୍କର ପାଦଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଶେଷ ହୋଇଛି । ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ୩ ଥାକିଆ ବ୍ୟାରିକେଡ଼ ନିର୍ମାଣ ହୋଇଛି । ଭକ୍ତମାନେ ବ୍ୟାରିକେଡ଼ ମଧ୍ୟରେ ଧାଡିରେ ଯାଇ ଠାକୁରଙ୍କୁ ଦର୍ଶନ କରିବେ ।

ପ୍ରଶାସନ ପକ୍ଷରୁ ମନ୍ଦିର ଚର୍ତୁପାଶ୍ୱର୍ ସଫା କରାଯିବା ସହିତ ସିଂହଦ୍ୱାର ମୁଖଶାଳା ଆଦିକୁ ରଙ୍ଗ କରାଯାଉଛି । ଶ୍ୟାମ କୁଣ୍ଡ, ରାଧା କୁଣ୍ଡ ପରି ତୀର୍ଥ ପୁଷ୍କରିଣୀକୁ ମଧ୍ୟ ସଫା କରାଯାଇଛି । ଭକ୍ତ ଗହଳିକୁ ଆଖିଆଗରେ ରଖି ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଉଛି । ତତ ସହିତ ଆଲୋକୀ କରଣ, ପାନୀୟ ଜଳ ଯୋଗାଣ, ଖାଦ୍ୟ ବଣ୍ଟନ, ଅସ୍ଥାୟୀ ପରିସ୍ରାଗାର ଓ ଅସ୍ଥାୟୀ ବିଶ୍ରାମଗାରକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । ସମସ୍ତ ନୀତିକାନ୍ତି ସହ ରାଧାରାଣୀଙ୍କ ପାଦ ଦର୍ଶନକୁ ନେଇ ସେବାୟତ ସଙ୍ଘ ବୈଠକରେ ନୀତିକାନ୍ତି ସମ୍ବନ୍ଧୀୟ ଆଲୋଚନା କରାଯାଇଛି । ମହାପ୍ରଭୁଙ୍କ ପାଇଁ ଖଜା, ଖୁରୁମା, ସରପୁଳି, କେଳି ପର୍ଯ୍ୟନ୍ତ ଭାଗ ପ୍ରସ୍ତୁତି ଚାଲିଛି ।

ପୁରୀ ପଟୁ ଆସୁଥିବା ଯାନବାହାନ ସାକ୍ଷୀଗୋପାଳ ରେଳ ଷ୍ଟେସନ ପଡ଼ିଆରେ ଓ ଭୁବନେଶ୍ୱର ପଟୁ ଆସୁଥିବା ଯାନବାହାନ କୋଟ ଉପର ପଡ଼ିଆରେ ପାର୍କିଂ କରାଯିବ । ଅତିରିକ୍ତ ଏସ୍‌ପି ପାହ୍ୟାର ୩ ଜଣ ଅଧିକାରୀ, ଡିଏସପି ୮ ଜଣ, ଇନସ୍ପେକ୍ଟର ୧୫ ଜଣ, ଏଏସଆଇ ୭୪ ଜଣ, ହାବିଲଦାର ଓ କନେଷ୍ଟବଳ ୧୦୦ ଜଣ, ଗୃହରକ୍ଷୀ ୨୦୦ ଜଣ ଟ୍ରାଫିକ ପୁଲିସ ଓ ୨୦ପ୍ଲାଟୁନ ଫୋର୍ସ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ନିୟୋଜିତ ହେବେ ।

ଚଳିତ ବର୍ଷ ଦେବନୀତି ଶୀଘ୍ର ସମ୍ପାଦନ କରାଯିବ । ମନ୍ଦିର ଶୀଘ୍ର ସାହାଣମେଲା କରାଯିବ । ଫଳରେ ଭକ୍ତମାନେ ଦର୍ଶନ ସୁଯୋଗ ଲାଭ କରିବେ ବୋଲି ସେବାୟତ ସଂଘ ସମ୍ପାଦକ ଶ୍ରୀବତ୍ସ ମହାପାତ୍ର ପ୍ରକାଶ କରିଛନ୍ତି । ଠାକୁର ସାକ୍ଷୀଗୋପାଳ ଉତ୍ତର ଭାରତରୁ ଆସିଥିବାରୁ ଉତ୍ତର ଭାରତୀୟ ରୀତିନୀତି ଅନୁଯାଇ ଠାକୁରଙ୍କର ଦେବ ନୀତି ଅନୁଷ୍ଠିତ ହେଉଛି ।