ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ​ଓଡ଼ିଶା ପୋଲିସର ମୁଖ୍ୟ ତଥା ପୋଲିସ ମହାନିର୍ଦ୍ଦେଶକ (DGP) ନିଯୁକ୍ତିକୁ ନେଇ ଉପୁଜିଥିବା ବିବାଦ ଏବେ ସଚିବାଳୟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ତେଜିବାରେ ଲାଗିଛି । ପୂର୍ବତନ ଡିଜିପିଙ୍କ ଅବସର ପରେ ନୂତନ ମୁଖ୍ୟ ବାଛିବା ପ୍ରକ୍ରିୟାରେ ସରକାରୀ ନିୟମାବଳୀର ଖୋଲାଖୋଲି ଉଲ୍ଲଂଘନ ହୋଇଥିବା ଅଭିଯୋଗକୁ ଦାଏର ହୋଇଥିବା ଜନସ୍ୱାର୍ଥ ମାମଲା ଏବେ ଓଡିଶା ସରକାରଙ୍କ ମୁହଁରେ କଳା ବୋଳି ସାରିଲାଣି ।
ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରୀ (Amicus Curiae) ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନଙ୍କ ଦ୍ୱାରା ଦାଖଲ ହୋଇଥିବା ସଦ୍ୟ ତଥ୍ୟ ରାଜ୍ୟ ପ୍ରଶାସନର ଭିତିରି ଖେଳକୁ ପଦାରେ ପକାଇ ଦେଇଛି ।

➡️​ଅନୁସନ୍ଧାନର ମୁଖ୍ୟ ତଥ୍ୟ ଓ ବିବାଦୀୟ ବିନ୍ଦୁ

* ​ମୂଳ ତାଲିକା ଏବଂ ନିୟମର ବ୍ୟତିକ୍ରମ:

ମେ ୧୪, ୨୦୨୬ରେ ରାଜ୍ୟ ସରକାର ୧୧ ଜଣ ଆଇପିଏସ୍ ଅଧିକାରୀଙ୍କ ନାମ ୟୁପିଏସସି (UPSC) ନିକଟକୁ ପଠାଇଥିଲେ । ସେଥିରେ ଲେଭଲ୍-୧୬ ରାଙ୍କର କେବଳ ୩ ଜଣ ବରିଷ୍ଠ ଡିଜିପି ର‍୍ୟାଙ୍କର ଅଧିକାରୀ ଥିଲେ । ୟୁପିଏସସି ନିୟମ ଅନୁସାରେ, ଲେଭଲ୍-୧୬ରେ ଯୋଗ୍ୟ ଅଧିକାରୀ ଥିବା ପର୍ଯ୍ୟନ୍ତ ଏଡିଜିପି (ଲେଭଲ୍-୧୫) ଅଧିକାରୀଙ୍କୁ ବିଚାର ପରିସରଭୁକ୍ତ (Zone of Consideration) କରାଯାଇ ପାରିବ ନାହିଁ ।

* ​ସୁଶାନ୍ତ ନାଥଙ୍କ ସଚ୍ଚୋଟତା ପ୍ରମାଣପତ୍ର (Integrity Certificate) ରୋକିବା ଷଡ଼ଯନ୍ତ୍ର:

ଅଗଷ୍ଟ ୭ ତାରିଖରେ ୟୁପିଏସସି ବୈଠକ ଥିବା ବେଳେ ଠିକ୍ ତାହା ପୂର୍ବରୁ ଅଗଷ୍ଟ ୫ ତାରିଖରେ ରାଜ୍ୟ ସରକାର ୧୯୯୩ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍ ସୁଶାନ୍ତ କୁମାର ନାଥଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ଅଚାନକ ପ୍ରତ୍ୟାହାର କରିନେଲେ । କାରଣ ଭାବେ ସବ୍-ଇନ୍ସପେକ୍ଟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇ ଯାଞ୍ଚ ଚାଲିଥିବା ଦର୍ଶାଯାଇଥିଲା । କିନ୍ତୁ ସିବିଆଇ ରିପୋର୍ଟ ସ୍ପଷ୍ଟ କରୁଛି ଯେ ତାଙ୍କ ନାମରେ କୌଣସି ଅପରାଧିକ ତଦନ୍ତ ନାହିଁ କିମ୍ବା ତାଙ୍କୁ ପଚରାଉଚୁରା ପାଇଁ ଡକାଯାଇ ନାହିଁ ।

* ​ହଠାତ୍ ବୈଠକ ସ୍ଥଗିତ:

ଅଗଷ୍ଟ ୭ ତାରିଖ ସକାଳେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଦସ୍ତଖତ ଥିବା ପତ୍ର ଜରିଆରେ “ଅପ୍ରତ୍ୟାଶିତ ଘଟଣାବଳୀ” (certain developments) ଦର୍ଶାଇ ୟୁପିଏସସି ଏମ୍ପାନେଲମେଣ୍ଟ ବୈଠକକୁ ବାତିଲ କରିବାକୁ ଚିଠି ଲେଖାଗଲା।

* ​କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ (MHA)ର ଆଶ୍ଚର୍ଯ୍ୟଜନକ ୟୁ-ଟର୍ଣ୍ଣ:

ଫେବୃଆରୀ ୨୦୨୬ରେ ଏମ୍ଏଚ୍‌ଏ ରାଜ୍ୟର ଦୁଇଟି ଅସ୍ଥାୟୀ ଏକ୍ସ-କ୍ୟାଡ଼ର ପଦବୀ ମଞ୍ଜୁର କରିବାକୁ ସିଧାସଳଖ ମନା କରିଦେଇଥିଲା । ମାତ୍ର ଅଗଷ୍ଟ ୮ରେ ରାଜ୍ୟ ପୁନର୍ବାର ଅନୁରୋଧ କରିବା ମାତ୍ରେ ଅଗଷ୍ଟ ୯ରେ ତରବରିଆ ଭାବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦୁଇଟି ପଦବୀ ମଞ୍ଜୁର କରିଦେଲା ।

* ​ରାତାରାତି ପଦୋନ୍ନତି ଓ ନୂଆ ତାଲିକା:

ଅଗଷ୍ଟ ୧୦ରେ ସରକାର ନୋଟିଫିକେସନ୍ ଜାରି କରି ୧୯୯୪ ବ୍ୟାଚ୍ ଆଇପିଏସ୍ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ କୁମାର ଜେଠୱାଙ୍କୁ ଡିଜିପି ର‍୍ୟାଙ୍କକୁ ପଦୋନ୍ନତି ଦେଇ ସେହିଦିନ ହିଁ ୟୁପିଏସସିକୁ ନୂଆ ତାଲିକା ପଠାଇଲେ, ଯାହାଦ୍ୱାରା ସେମାନେ ପ୍ରତିଯୋଗିତାର ମୁଖ୍ୟ ଦୌଡ଼କୁ ଚାଲିଆସିଲେ ।

* ​ଚାକିରି କାଳ ତଥ୍ୟରେ ଗୁରୁତର ତ୍ରୁଟି:

ଅଗଷ୍ଟ ୮ ତାରିଖ ଚିଠିରେ ସରକାର ଦର୍ଶାଇଲେ ଯେ ଶ୍ରୀ ସଞ୍ଜୀବ ପଣ୍ଡା ୩୨ ବର୍ଷର ଚାକିରି ସମ୍ପୂର୍ଣ୍ଣ କରିସାରିଛନ୍ତି । ମାତ୍ର ତାଲିକା ଅନୁସାରେ ସେହି ସମୟ ସୁଦ୍ଧା ତାଙ୍କର ଚାକିରି ଅବଧି ପ୍ରକୃତରେ ୩୦ ବର୍ଷ ୧୧ ମାସ ୧୪ ଦିନ ଥିଲା ।

* ​ଆମିକସ୍ କ୍ୟୁରୀଙ୍କ ସୁପାରିଶ ଓ ଆଇନଗତ ପ୍ରଶ୍ନ

​ସୁପ୍ରିମକୋର୍ଟଙ୍କ ସର୍ବୋଚ୍ଚ ରାୟ ‘ପ୍ରକାଶ ସିଂହ ମାମଲା’ର ଉଦ୍ଦେଶ୍ୟ ହେଉଛି ପୋଲିସ ମୁଖ୍ୟ ଚୟନରେ ରାଜନୈତିକ ହସ୍ତକ୍ଷେପ ରୋକିବା ।

ଆମିକସ୍ କ୍ୟୁରୀ ତାଙ୍କ ଲିଖିତ ଦଲିଲରେ ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଛନ୍ତି:

* ​କୌଣସି ପକ୍ଷପାତିତା ବା ତାଲିକା ହେରଫେରକୁ ଏଡ଼ାଇବା ପାଇଁ ଅଗଷ୍ଟ ୧୦ର ପରିବର୍ତ୍ତିତ ତାଲିକା ବଦଳରେ ମେ ୧୪ର ମୂଳ ତାଲିକାକୁ ହିଁ ୟୁପିଏସସି ବିଚାରକୁ ନେଉ ।

* ​ବିନା ଚାର୍ଜସିଟ୍ ବା ବିଭାଗୀୟ କାର୍ଯ୍ୟାନୁଷ୍ଠାନରେ ଜଣେ ଅଧିକାରୀଙ୍କୁ ଦୌଡ଼ରୁ ବାଦ୍ ଦେବା ଉଦ୍ଦେଶ୍ୟରେ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ଅଟକାଇବା ଅଭ୍ୟାସ ବିରୋଧରେ ସରକାର ସତ୍ୟପାଠ ଦାଖଲ କରନ୍ତୁ ।

* ​ଚାକିରି ବୟସ ସମ୍ପର୍କିତ ଭୁଲ ତଥ୍ୟ ଉପରେ ସରକାର ସ୍ପଷ୍ଟୀକରଣ ରଖନ୍ତୁ ।

* ​ପ୍ରଶାସନିକ ସ୍ୱଚ୍ଛତା ଓ ନିରପେକ୍ଷତାକୁ ଏଡ଼ାଇ ନିଜ ପସନ୍ଦର ଅଧିକାରୀଙ୍କୁ ପଦବୀରେ ବସାଇବା ପାଇଁ ହୋଇଥିବା ଏହି ଫାଇଲ୍ କସରତ ଏବେ ନ୍ୟାୟାଳୟର କାଠଗଡ଼ାରେ ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ହିଁ ସ୍ପଷ୍ଟ କରିବ ଯେ ରାଜ୍ୟରେ ନିୟମର ଶାସନ ଚାଲିବ ନା କ୍ଷମତାର ରାଜନୀତି ।

​ଏହି ବିଷୟରେ ଅଧିକ ଖୋଳତାଡ଼ ଏବଂ ସତ୍ୟପାଠର ବିଶେଷ ରିପୋର୍ଟ ପାଇଁ ନାଥଙ୍କ ପ୍ରତି ଅନ୍ୟାୟ ଘଟଣାରେ ସତ୍ୟପାଠର ବଡ଼ ଖୁଲାସା ଦେଖନ୍ତୁ , ଯେଉଁଥିରେ ସୁଶାନ୍ତ ନାଥଙ୍କ ସାର୍ଟିଫିକେଟ୍ ରୋକିବା ଓ ପଦୋନ୍ନତି ପ୍ରକ୍ରିୟା ପଛର ରହସ୍ୟ ଉପରେ ବିସ୍ତୃତ ଆଲୋଚନା କରାଯାଇଛି।