ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ମୁହଁ ଖୋଲିଲେ ଡିଜିପି; କହିଲେ ‘ଟିକେ ସମୟ ଲାଗିବ’

ଭୁବନେଶ୍ୱର,୩/୨(ସତ୍ୟପାଠ ବ୍ୟୁରୋ): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ୬ ଦିନ ପରେ ମୁହଁ ଖୋଲିଛନ୍ତି ପୋଲିସ ଡିଜି । ଚାରିଆଡେ ଘଟଣା ସମ୍ପର୍କରେ ଡିଜିପିଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠିବା ପରେ ସୁନୀଲ ବଂଶଲ ଶେଷରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଘଟଣା ପରେ ତତକ୍ଷଣାତ୍ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସେଠି କ୍ୟାମ୍ପ କରି ତଦନ୍ତ କରୁଛନ୍ତି ।ତାଙ୍କ ପାଖେ ସିବିଆଇର ଅଭିଜ୍ଞତା ରହିଛି । ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଦାସ ତଦନ୍ତର ମନିଟରିଂ କରୁଛନ୍ତି । ତଦନ୍ତ ଚାଲିଥିବା ବେଳେ କିଛି ପ୍ରମାଣ ମିଳିଛି । ସମ୍ପୂର୍ଣ୍ଣ ପ୍ରମାଣ ପାଇଁ ଟିକେ ସମୟ ଲାଗିବ । ଏଭଳି ଅପରାଧରେ ସବୁ ତଥ୍ୟ ସଙ୍ଗେ ମିଳିବ ନାହିଁ । ସମ୍ପୂର୍ଣ୍ଣ ତଥ୍ୟ ପାଇବା ପାଇଁ କେନ୍ଦ୍ରୀୟ ଫରେନସିକ୍ ସାଇନ୍ସ ଲାବ୍ରୋଟୋରି (ସିଏଫଏସଏଲ) ସହଯୋଗ ଯୋଗାଇ ଦେବ । ଆବଶ୍ୟକ ସ୍ଥଳେ କେନ୍ଦ୍ରର ସହଯୋଗ ନିଆଯିବ। ଗୃହ ମନ୍ତ୍ରାଳୟ ସହ କଥା ହୋଇଛି। ତଦନ୍ତରେ ସହଯୋଗ କରିବାକୁ ସିଏଫଏସଏଲ ଟିମ୍ ମଧ୍ୟ ଆସିପାରେ। ତଦନ୍ତରେ ସ୍ଵଚ୍ଛତା ପାଇଁ ସେଠାକାର ପୋଲିସଙ୍କୁ ବଦଳି କରାଯାଇଛି ବୋଲି ସେ କହିଛନ୍ତି।

ବୁଧବାର ରାତିରେ ଝାରସୁଗୁଡ଼ା ବିମାନବନ୍ଦର ଥାନା ଟଏଲେଟ ସ୍ୱରେଜ ଟାଙ୍କିରୁ ମିଳିଥିବା କାଗଜ ଟୁକୁଡ଼ା ନେଇ ଡିଜିପି ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି ଟୁକୁଡ଼ା କାଗଜ ଖଣ୍ଡର ଫରେନ୍ସିକ ଯାଞ୍ଚ ହେବ । ଯାଞ୍ଚ ପୂର୍ବରୁ କୌଣସି ମତ ଦେଇ ହେବନି । ତଦନ୍ତରେ କଣ ମିଳୁଛି, କେଉଁ ଆଡ଼କୁ ଯାଉଛି ? ଅବସରପ୍ରାପ୍ତ ବିଚାରପତି ତଦନ୍ତର ମନିଟରିଂ କରୁଛନ୍ତି ।

ତଦନ୍ତର ସ୍ୱଚ୍ଛତା ଲାଗି ସେଠାକାର ଅଧିକାରୀମାନଙ୍କୁ ବଦଳି କରାଯାଇଛି । ଘଟଣା ଦିନ ପୋଲିସ ଏସଓପି ଅନୁସାରେ ନବ ଦାସଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦିଆଯାଇଥିଲା ବୋଲି ଜିଡିପି କହିଛନ୍ତି । ଗତ ରବିବାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ପୋଲିସ ଏଏସ୍ଆଇ ଗୋପାଳ ଦାସ ତାଙ୍କୁ ଗୁଳି କରିଥିଲେ । ଏବେ ଗିରଫ ଗୋପାଳଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇ ପଚରାଉଚରା କରୁଛି । ତେବେ ଏପର୍ଯ୍ୟନ୍ତ ହତ୍ୟାର କାରଣ କଣ ତାହା ଜଣାପଡ଼ିନଥିବା ପୋଲିସ ଡିଜି କହିଛନ୍ତି।

Related Posts