ଆରମ୍ଭ ହେଲା ଧବଳେଶ୍ଵରଙ୍କ ଭର୍ଚୁଆଲ ଦର୍ଶନ, ଏଲଇଡି ସ୍କ୍ରିନରେ ବାବାଙ୍କୁ ଚନ୍ଦ୍ରଚୂଡ ବେଶରେ ଦର୍ଶନ କରୁଛନ୍ତି ଭକ୍ତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଠାରୁ ଆରମ୍ଭ ହୋଇଛି ପଞ୍ଚକ ବ୍ରତ। ଶ୍ରଦ୍ଧାଳୁଙ୍କ ଗହଳଚହଳରେ ଯେଉଁ ଧବଳେଶ୍ୱର ପୀଠ ପ୍ରତିବର୍ଷ ପଞ୍ଚକରେ ଫାଟି ପଡ଼ୁଥାଏ, ଆଜି ସେହି ପୀଠ ଖାଁ ଖାଁ। ବାବାଙ୍କ ନୀତି ନିୟମ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚାଲୁଛି, ମନ୍ତ୍ର ଧ୍ୱନୀ ହେଉଥିଲେ ମଧ୍ୟ ଭକ୍ତ ନାହାନ୍ତି। ଭକ୍ତମାନେ ଚଳିତ ବର୍ଷ ବାବାଙ୍କ ଦର୍ଶନ ଚର୍ମ ଚକ୍ଷୁରେ ନୁହେଁ ବରଂ ଭର୍ଚୁଆଲ ଦର୍ଶନ କରୁଛନ୍ତି।

ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲକୁ ବିପଦସଙ୍କୁଳ ଦର୍ଶାଇ ପୀଠ ଚାରିପଟେ ୧୪୪ ଧାରା ଜାରି ହୋଇଛି। ତେଣୁ ଏବେ ସ୍ୱଚକ୍ଷୁରେ ଭକ୍ତଙ୍କୁ ବାବାଙ୍କ ଦର୍ଶନ ମନା ହୋଇଥିବା ବେଳେ ଏଥିନିମନ୍ତେ ଏଲଇଡି ପରଦାର ବ୍ୟବସ୍ଥା ହୋଇଛି।

ଆଜି ପଞ୍ଚକ ପ୍ରଥମ ଦିନରେ ଚନ୍ଦ୍ରଚୂଡ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଏଥିନିମନ୍ତେ ରାତି ୩ ଟାରୁ ପହଡ଼ ଖୋଲାଯାଇ ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯାଇଛି। ଏହାପରେ ମଙ୍ଗଳ ଆଳତୀ ପରେ ଖେଚୁଡ଼ି ଭୋଗ ଲାଗି କରାଯାଇଥିଲା। ପରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଦ୍ୱାର ଫିଟାଯାଇଥିଲା। ହେଲେ ଭଙ୍କ ବିନା ଖାଁ ଖାଁ ପୀଠ ।

ପ୍ରଶାସନର ବାରଣ ସତ୍ତ୍ୱେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆଜି ସକାଳୁ ଧବଳେଶ୍ଵର ପୀଠମୁହାଁ ହୋଇଛନ୍ତି। ହେଲେ ପୁଲିସ୍‌ ବାଟ ଜଗି ବସିଥିବା ବେଳେ ଶ୍ରଦ୍ଧାଳୁ ଓ କାର୍ତ୍ତିକ ବ୍ରତଧାରୀମାନେ ମୁଖ୍ୟ ରାସ୍ତାରେ ଧବଳେଶ୍ଵରଙ୍କ ଫାଟକ ପାଖରେ ଲାଗିଥିବା ଏଲଇଡି ପରଦାରେ ବାବାଙ୍କ ଦର୍ଶନ କରୁଛନ୍ତି। ହେଲେ ସେଠି କୌଣସି ପ୍ରକାର ପୂଜାର୍ଚ୍ଚନା କିମ୍ବା ଭୋଗ ଲାଗିକୁ ବାରଣ କରାଯାଇଛି ।

ଭକ୍ତମାନେ ଚାହିଁଲେ ସେଇଠୁ ପୂଜକଙ୍କ ମାଧ୍ୟମରେ ଭୋଗ ଠାକୁରଙ୍କ ପାଖକୁ ପଠାଇ ପାରିବେ। ଗଜଭୋଗ ନିଜସ୍ୱ ଉଦ୍ୟମରେ ସେବକଙ୍କ ଘରୁ ସଂଗ୍ରହ କରିବେ। ଅଧିକ ଭକ୍ତଙ୍କ ଭିଡ଼ ହୁଏ, ଆଉ ଏକ ଏଲଇଡି ଲଗାଇବା ନିମନ୍ତେ ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ଉପଜିଲ୍ଲାପାଳ। ତା’ସହ ପୂର୍ବଭଳି ଯାତ୍ରା ଚାଲିବ ବୋଲି ମଧ୍ୟ ସେ କହିଛନ୍ତି। ତେବେ ପ୍ରଶାସନର ଏଭଳି ନିଷ୍ପତ୍ତି ଅତି ବିଚିତ୍ର ବୋଲି ସେବକମାନେ କହିବା ସହ କରୋନାଠାରୁ ଏ କଟକଣା ଅଧିକ ଯନ୍ତ୍ରଣାଦାୟକ ବୋଲି ଆକ୍ଷେପ କରିଛନ୍ତି।

ଶ୍ରଦ୍ଧାଳୁଙ୍କ ଭିଡକୁ ଆଖି ଆଗରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଧବଳେଶ୍ଵରଙ୍କ ପୀଠରେ ୧୪୪ ଧାରା ଲାଗିଛି । ପୁଲିସ ପକ୍ଷରୁ ୧୦ ପ୍ଲାଟୁନ ପୁଲିସ୍‌ ସହ ୬ ଜଣ ଏସ୍‌ଡିପିଓ, ୧୨ ଆଇଆଇସି ନିୟୋଜିତ ଥିବା କଟକ ଗ୍ରାମାଞ୍ଚଳ ଏସ୍‌ପି କହିଛନ୍ତି।

ଗୁଜରାଟ ଟ୍ରାଜେଡି ପରେ ଗତ ୩୧ ତାରିଖରୁ ଧବଳେଶ୍ୱର ପୀଠରେ ଦର୍ଶନକୁ ନେଇ ଦେଖାଦେଇଥିଲା ଦ୍ୱନ୍ଦ୍ୱ। ମୋର୍ବି ଦୁର୍ଘଟଣା ପରେ ତୁରନ୍ତ ଧବଳେଶ୍ୱର ଝୁଲା ପୋଲ ଯାଞ୍ଚ କରି ପ୍ରଥମେ ୨୦୦ କରି ଭକ୍ତଙ୍କୁ ପୀଠକୁ ଛଡ଼ା ଯାଇଥିଲା। ତା’ପରେ ମରାମତି ଆଳ ଦେଖାଇ ଦିନକ ପାଇଁ ପୋଲକୁ ବନ୍ଦ ରଖିବାକୁ ଘୋଷଣା କରାଗଲା। ହେଲେ ସେଦିନ ସନ୍ଧ୍ୟାରେ ହଠାତ୍‌ ୧୪୪ ଧାରା ଜାରି କରିଦେଲା ପ୍ରଶାସନ। ଆଉ କୁହାଗଲା, ଏଥର ଧବଳେଶ୍ୱରଙ୍କ ଯାତ୍ରା ବନ୍ଦ।ଏହାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ହେବା ପରେ ପ୍ରଶାସନ ପକ୍ଷରୁ ଏଲଇଡିର ବ୍ୟବସ୍ଥା କରାଯାଇଛି।

Related Posts